ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଅମ୍ପନ’ ଓଡ଼ିଶାରେ ଛାଡ଼ି ଯାଇଛି କ୍ଷତ । ଅମ୍ପନ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆକାଶମାର୍ଗରୁ ପ୍ରଭାବିତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପ୍ରଭାବିତ ଅଞ୍ଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ପୁନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ବିିଭିନ୍ନ ଅଞ୍ଚଳରେ ବାତ୍ୟା ଯୋଗୁ ଫସଲ କ୍ଷତିକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୩ ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ରାସ୍ତାରୁ ଉପୁଡ଼ି ପଡ଼ିଥିବା ଗଛ ସଫା କରିବା ସହ ଆସନ୍ତାକାଲି ସୁଦ୍ଧା ଗମନାଗମନ ସ୍ୱାଭାବିକ କରିବାକୁ ସେ ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସେସୁ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓ ନେସ୍କୋ ଅଞ୍ଚଳରେ ୭୨ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବାକୁ ସ୍ୱାଭାବିକ କରିବାକୁ ଶକ୍ତି ବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଘର ଭଙ୍ଗା ରିପୋର୍ଟ ୧ ସପ୍ତାହ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କିଛି ବରିଷ୍ଠ ଅଧିକାରୀ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।