ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପାର୍ବଣ ଋତୁ ଆସିଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୂଜା ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି।

ଏଥିସହିତ ସେ କହିଛନ୍ତି କି ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି। ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ ଓ ଅନେକ ତ୍ୟାଗ କରିବାକୁ ପଡ଼ିଛି। ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ପିଲାମାନେ ସ୍କୁଲ ସାଙ୍ଗସାଥୀ ଓ ଖେଳିବାର ମଜା ନେଇ ପାରୁନାହାନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ୱାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା। ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ। ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି।

ଏଥିସହିତ ଆପଣମାନେ ମାସ୍କ ପିନ୍ଧୁଛନ୍ତି, ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରୁଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ କରୁଛି। ସେହିପରି ଅମାନିଆ ମାନେ ପରିସ୍ଥିତିକୁ ବୁଝିବା ଦରକାର। ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋଭିଡ଼ ପଜିଟିଭ କେସ କମିବା ଆରମ୍ଭ କରିଛି। ୨୬ ସେପ୍ଟେମ୍ବରରେ ରାଜ୍ୟରେ ପଜିଟିଭ ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ ୨ ଦିନ ହେବ ଏହା ଦୁଇ ହଜାର ତଳକୁ ଖସିଛି।

ଏଥିସହିତ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଓ ଗଜପତିର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି କି ଗଞ୍ଜାମ ଓ ଗଜପତି ଜିଲ୍ଲା କରୋନା ହଟସ୍ପଟ ଥିବାବେଳେ ବର୍ତ୍ତମାନ ଏଠାରେ ସଂକ୍ରମଣ ବହୁମାତ୍ରାରେ କମିଯାଇଛି। ଲୋକଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମରେ ଏହା ସଫଳ ହୋଇଛି।

ସେହିପରି ୟୁରୋପିଆନ ଦେଶ ଗୁଡ଼ିକ ଯଥା ୟୁକେ, ଫ୍ରାନ୍ସ, ସ୍ପେନ ଆଦି ଦେଶରେ ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା। ଅନେକ ଲୋକ ଜୀବନ ହରାଇଲେ। ତା ପରେ କରୋନା କମିଥିଲା। କିନ୍ତୁ ଏବେ ଦେଖନ୍ତୁ ସେଠାରେ ପୁଣି ସଂକ୍ରମଣ ବଢ଼ି ଯାଇଛି।

ସେହିପରି କରୋନା ସଂକ୍ରମରରେ ଆମେରିକା ପରେ ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା। କିନ୍ତୁ ତାଙ୍କର ପ୍ରସିଦ୍ଧ ଓନାମ ପର୍ବ ପରେ ବର୍ତ୍ତମାନ କେରଳରେ ସଂକ୍ରମଣ ୩ ଗୁଣ ବଢ଼ିଯାଇଛି। ସେହିପରି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ।

ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି। ମୋର ଅନୁରୋଧ, ପୂଜା ସମୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ କରନ୍ତୁ ନାହିଁ। ଘରେ ରହି ମା’ଙ୍କୁ ପୂଜା କରନ୍ତୁ। ପରିବାର ସହ ଘରେ ରହି ପର୍ବ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।