ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହେଲା ପ୍ଲାଜମା ବ୍ୟାଙ୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। କଟକ ଏସସିବି ମେଡିକାଲ ପରେ ଓଡିଶାର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ଭୁବନେଶ୍ୱରରେ ଉଦଘାଟିତ ହୋଇଛି। ଜୁଲାଇ ୧୫ ତାରିଖରେ ପ୍ରଥମେ କଟକରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଥିଲା। ଆସନ୍ତାକାଲି ରାଉରକେଲା ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାପରେ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କ ଅନୁଷ୍ଠିତ ହେବ।
ନୂତନ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟର କେହି ଜଣେ ବି ବ୍ୟକ୍ତି ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ। ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। କଟକ ଏସସିବି ମେଡିକାଲ୍ କଲେଜର ଡାକ୍ତରମାନେ ରାଜ୍ୟରେ ଆଧୁନିକ ପ୍ଲାଜମା ଥେରାପିର ସଫଳ ପ୍ରୟୋଗ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି। କୋଭିଡ୍ ରୁ ଆରୋଗ୍ୟ ଲାଭ କରିଥିବା ଏପର୍ଯ୍ୟନ୍ତ ୨୩ ଜଣ ବ୍ୟକ୍ତିଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇଛି। ଜଣେ ବ୍ୟକ୍ତିଙ୍କ ପ୍ଲାଜମା ୨ ଜଣ ରୋଗୀଙ୍କୁ ଦିଆଯାଇ ପାରିବ। ତେଣୁ ଏହାଦ୍ୱାରା ୪୬ ଜଣ ରୋଗୀ ଚିକିତ୍ସିତ ହୋଇପାରିବେ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଚିକିତ୍ସା ସେବା ସମ୍ପ୍ରସାରିତ କରିବା ପାଇଁ ଏହା ଆମକୁ ପ୍ରେରଣା ଦେଇଛି।
କୋଭିଡ୍-୧୯ ପରି ଏକ ଅସାଧାରଣ ପରିସ୍ଥିତିରେ ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ନିଷ୍ଠା ଓ ତ୍ୟାଗର ସହ କୋଭିଡ୍ ଯୁଦ୍ଧରେ ସାମିଲ୍ ହୋଇ ସେବା ଜାରି ରଖିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି। ଏଭଳି କଠିନ ସମୟରେ କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳକୁ ଦୃଢ଼ ରଖିବା ପାଇଁ ଆମେ ସମସ୍ତେ କାମ କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ କୋଭିଡ୍ ରୁ ଆରୋଗ୍ୟଲାଭ କରିଥିବା ପ୍ଲାଜମା ଦାତାମାନଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ପ୍ଲାଜମା ଦାନ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଯେଭଳି ସୁବିଧାରେ ପଞ୍ଜୀକରଣ କରିପାରିବେ, ସେଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ବିକଶିତ ଏକ ୱେବ୍ ପୋର୍ଟାଲକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ।