ଡିସେମ୍ବର ୧୪ରୁ ଏକମାସ ଧରି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ସ୍ତରର ଉତ୍ସବ

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ପୁରୀ – କୋଣାର୍କ  ମେରାଇନ ଡ୍ରାଇଭରେ କୋଣାର୍କ ଠାରୁ ୮କ.ମି ଦୂରରେ ୧୪ଡିସେମ୍ବରରୁ ୧୪ଜାନୁଆରୀ ପର୍ଯ୍ୟନ୍ତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ଦେଶ ବିଦେଶରେ ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ହେବ। ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତି କରାଯାଇଛି। ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗ ତାଙ୍କର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ପୁରୀ ସହରର ବିକାଶ, ଶମୁକା ପ୍ରକଳ୍ପ ସହିତ ମେରାଇନ ଡ୍ରାଇଭର ଏହି ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ପୁରୀ କୋଣାର୍କର ପର୍ଯ୍ୟଟନ ଦକ୍ଷତା ଯଥେଷ୍ଟ ଭାବେ ବୃଦ୍ଧି କରାଇବ। ବୈଠକରେ ନିଷ୍ପତି ଅନୁଯାୟୀ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ  ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାସ୍କୃତିକ କାର୍ଯ୍ୟକ୍ରମ, ର୍ଥିଡି ମ୍ୟାପିଙ୍ଗ, ଫୁଡ ଫେଷ୍ଟିଭାଲ, ରୋମାଂଚକର କ୍ରୀଡ଼ା, ଜଳ କ୍ରୀଡା ଭଳି ଆନ୍ତର୍ଜାତିକ ମାନର ବ୍ୟବସ୍ଥ ପର୍ଯ୍ୟଟକମାନଙ୍କ ପାଇଁ କରାଯିବ। ପର୍ଯ୍ୟଟକମାନଙ୍କ ରହିବା ପାଇର୍ ୫୦ଟି କୋଠରୀ ବିଶିଷ୍ଠ ବିଳାସପୂର୍ଣ୍ଣ ଟେଣ୍ଟ କଟେଜ ନିର୍ମାଣ କରାଯିବା ସହିତ ଜଳ, ବିଦ୍ୟୁତ, ପାର୍କିଂର ବ୍ୟବସ୍ଥା କରାଯିବ। ମେରାଇନ ଡ୍ରାଇଭ ସଡ଼କର ଆଲୋକୀକରଣ ସହିତ ଏହି ପର୍ଯ୍ୟଟନ ଅଂଚଳର ସୌନ୍ଦର୍ଯ୍ୟକରଣ କରାଯିବ। ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ  ତୁଷାରକାନ୍ତି ବେହେରା, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।