ସେପ୍ଟେମ୍ବର ୨୭ରେ ନ୍ୟାସନାଲ ଜିଓଗ୍ରାଫିରେ ଆସିବେ ନବୀନ

୧୯୯୯ ମହାବାତ୍ୟାରୁ ୨୦୧୯ ପ୍ରଳୟଙ୍କାରୀ ଫାନି ପର୍ୟ୍ୟନ୍ତ, ବାତ୍ୟାକୁ ନେଇ ଗତ ଦୁଇ ଦଶନ୍ଧିର କାହାଣୀ କହୁଛନ୍ତି ନବୀନ ପଟ୍ଟନାୟକ । ପ୍ରଳୟଙ୍କାରୀ ବାତ୍ୟା ଫାନିର ସଫଳ ମୁକାବିଲା କରିଥିବା ନବୀନ ସରକାର ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା କିଭଳି କରାଯାଇପାରିବ ସେ ବାବଦରେ ସାରା ବିଶ୍ୱକୁ ବତଉଛନ୍ତି ନ୍ୟାସନାଲ ଜିଓଗ୍ରାଫିକର ଏକ ସୋ’ରେ। ନବୀନଙ୍କୁ ନେଇ ସୁଟିଂ ହୋଇଥିବା ଏହି ସ୍ୱତନ୍ତ୍ର ସୋ’ରେ ଫାନି ମୁକାବିଲାର ପୂରା କାହାଣୀ ଦେଖିବାକୁ ମିଳୁଛି ।

ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ରାତି ୯ଟାରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ଏହି ସୋ’ର ପ୍ରସାରଣ କରାଯିବ । ତେବେ ଟେଲିକାଷ୍ଟ ହେବା ପୂର୍ବରୁ ଏହି ସ୍ୱତନ୍ତ୍ର ସୋ’ର ପ୍ରୋମୋ ସାମ୍ନାକୁ ଆସିଛି । ଏହି ପ୍ରୋମୋରେ ବିଶେଷ କରି ଫାନିର ସଫଳ ମୁକାବିଲାର ଝଲକ ଦେଖିବାକୁ ମିଳିଛି । ବାତ୍ୟା ଫାନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ତାହା ଦେଖିବାକୁ ମିଳିବ । ଫାନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର କିଭଳି ଦିନରାତି ଏକ କରି ଦେଇଥିଲେ ତାହା ଏହି ସୋ’ରେ ଦେଖିବାକୁ ପାଇବେ ବିଶ୍ୱବାସୀ ।