୫ କୋଟି ଘରକୁ ପାଇପ ଯୋଗେ ପହଞ୍ଚିବ ପ୍ରାକୃତିକ ଗ୍ୟାସ

୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନ୍ଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ଼ ନିଶ୍ଚିତ। ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି। ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି। ଦେଶର ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି।

ସେହିପରି ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ। ଏହାସହ ସାରା ଦେଶରେ ୫୦୦୦ କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଦିଗରେ ଭାରତ ସରକାର ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ସରକାର ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରୁଛନ୍ତି। ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସର ସେୟାରକୁ ବର୍ତ୍ତମାନର ୬.୩ ପ୍ରତିଶତରୁ ୧୫ ପ୍ରତିଶତ କରାଯିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ପ୍ରାୟ ୧୭ ହଜାର କିମି ଲମ୍ବ ଗ୍ୟାସ ପାଇପଲାଇନର ନିର୍ମାଣ କାମ ଚାଲୁଅଛି। ପରିବେଶ ସହଯୋଗୀ ଇନ୍ଧନ ଉପଲବ୍ଧ କରିବା ପାଇଁ ସିଜିଡି ନେଟୱର୍କର ସମ୍ପ୍ରସାରଣ କରାଯାଉଛି। ଘର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଏବଂ ସିଏନ୍ଜି ପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ ଯୋଗାଯାଉଛି। କମ୍ପ୍ରେସଡ୍ ବାୟୋ-ଗ୍ୟାସ (ସିବିଜି) ଏବଂ ଜୈବଖତ ଉତ୍ପାଦନ କରି ଉଦ୍ୟମୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ ତୃତୀୟ ଊର୍ଜ୍ଜା ଉପଭୋକ୍ତା ରାଷ୍ଟ୍ର। ଭାରତରେ ଊର୍ଜ୍ଜା ଉପଭୋକ୍ତା ଏବଂ ଊର୍ଜା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି। ଊର୍ଜା ବ୍ୟବସାୟରେ ନୂଆ ନିବେଶକଙ୍କ ପାଇଁ ନୀତି ସଂସ୍କାର ଅଣାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ମାର୍କେଟିଂ କମ୍ପାନୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ କରିବା ପାଇଁ ଆହ୍ୱାନ କରିଛନ୍ତି।