କରୋନା ମହାମାରୀ ପାଇଁ ଘୁଞ୍ଚିଲା ଜାତୀୟ କୁସ୍ତି ଶିବିର

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ମାରାତ୍ମକ ହେଉଛି। ଫଳରେ ଲଖନଉ ଠାରେ ଆୟୋଜନ ହେବାକୁ ଥିବା ଜାତୀୟ ମହିଳା କୁସ୍ତି ଶିବିରକୁ ଯିବାକୁ ଭୟ କରୁଛନ୍ତି ଭାରତୀୟ ମହିଳା ରେସଲର। ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ସେଣ୍ଟର ନିକଟରେ ଥିବା ହଜ୍ ହାଉସ୍ ଯାହା ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା କୋଭିଡ୍ କେୟାର ସେଣ୍ଟରରେ ପରିଣତ ହୋଇଛି। ଅନେକ କରୋନା ରୋଗୀଙ୍କୁ ଏହି କେୟାର ସେଣ୍ଟରରେ ରଖାଯାଇଛି। ଫଳରେ ବିନେଶ ଫୋଗାଟ, ସାକ୍ସି ମଲିକ ଏବଂ ପୂଜା ଚନ୍ଦା ଭଳି ରେସଲର ଏହି ଶିବିରକୁ ଯିବାକୁ ରାଜି ହୋଇନଥିଲେ। ଫଳରେ ପୁଣି ଏହି ଶିବିରକୁ ସ୍ଥଗିତ ରଖାଯାଇଛି। ପ୍ରଥମେ ଜୁଲାଇ ଶେଷ ଓ ପରେ ଅଗଷ୍ଟ ମାସରେ ଏହି ଶିବିର ଅନୁଷ୍ଠିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଅନ୍ୟପକ୍ଷରେ ସୋନେପାଟରେ ଆୟୋଜିତ ହେବାକୁ ଥିବା ପୁରୁଷ ଜାତୀୟ କୁସ୍ତି ଶିବିରକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ଏହି ଶିବିରଗୁଡିକ ଆସନ୍ତା ମାସରେ ଅନୁଷ୍ଠିତ ହେବ। ସ୍ୱାଧୀନତା ଦିବସ ପରେ ଏହାର ତାରିଖ ନିର୍ଦ୍ଧାରିତ କରାଯିବ। ଏନେଇ ଡବ୍ଲ୍ୟୁଏଫଆଇ ସହକାରୀ ସଚିବ ବିନୋଦ ଟୋମର ଏକ ଜାତୀୟ ଗଣମାଧ୍ୟମରେ କହିଛନ୍ତି। ଏହା ସହ ମହିଳା ଜାତୀୟ କୁସ୍ତି ଶିବିରକୁ ଲଖନଉ ପରିବର୍ତ୍ତେ ଅନ୍ୟ କେଉଁଠି ଆୟୋଜନ କରିବାକୁ ବିନେ‌ଶ ଏବଂ ସାକ୍ସିଙ୍କ ସମେତ ଅନେକ ଫେଡେରେସନକୁ ଅନୁରୋଧ କରିଛନ୍ତି।