ଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିଅନ୍‌ଶିପ: ମିହିରଙ୍କୁ ଡବଲ୍ ପଦକ, କୁଲଦୀପ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ୱେଟ୍‌ଲିଫ୍‌ଟିଂ ମହାସଂଘ (ଆଇଡବ୍‌ଲ୍ୟୁଏଲ୍‌ଏଫ୍‌) ପକ୍ଷରୁ ମିଳିତ ଭାବେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିଅନ୍‌ଶିପରେ ଗୁରୁବାର ଓଡ଼ିଶାର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ୩ଟି ପଦକ ଜିତିଛନ୍ତି । ଏଥି ମଧ୍ୟରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ରହିଛି। ୭୩ କିଗ୍ରା ୟୁଥ ପୁରୁଷ ବର୍ଗରେ ଓଡିଶାର କୁଲଦୀପ ସାହୁ ସ୍ନାଚରେ ୧୧୯ କିଗ୍ରା ଓ କ୍ଲିନ ଏଣ୍ଡ ଜର୍କରେ ୧୪୬ କିଗ୍ରା ଏହିପରି ସର୍ବମୋଟ ୨୬୫ କିଗ୍ରା ଉତ୍ତୋଳନ ପୂର୍ବକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଆନ୍ଧ୍ର ପ୍ରଦେଶର ବି. ଭେଙ୍କଟ କ୍ରିଷ୍ଣା ମୋଟ ୨୬୩ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଦିଲ୍ଲୀର ଶିବ ଚୌଧୁରୀ ମୋଟ ୨୫୨ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ସେହିପରି ୭୩ କିଗ୍ରା ଆନ୍ତଃରାଜ୍ୟ ସିନିୟର ପୁରୁଷ ବର୍ଗରେ ଓଡ଼ିଶାର ମିହିରକାନ୍ତ ସେଠୀ ସ୍ନାଚରେ ୧୨୭ କିଗ୍ରା ଓ କ୍ଲିନ ଏଣ୍ଡ ଜର୍କରେ ୧୬୩ କିଗ୍ରା ଏହିପରି ସର୍ବମୋଟ ୨୯୦ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ଜିତିଥିବା ବେଳେ ଚଣ୍ଡିଗଡର ଗଙ୍ଗା ସିଂହ ମୋଟ ୨୮୮ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ କେରଳର ବି. ଦେବପ୍ରିଧନ ମୋଟ ୨୮୭ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାଛଡ଼ା ପୁରୁଷ ୭୩ କିଗ୍ରା ସିନିୟର ବର୍ଗରେ ଓଡିଶାର ମିହିର ମୋଟ ୨୯୦ କିଗ୍ରା ଉତ୍ତୋଳନ ପୂର୍ବକ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଇଭେଣ୍ଟ୍‌ରେ ଆରଏସପିବିର ଏନ. ଅଜିତ୍ ମୋଟ ୨୯୭ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଚଣ୍ଡିଗଡର ଗଙ୍ଗା ସିଂହ ମୋଟ ୨୮୮ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ।

ଆହୁରି ପୁରୁଷ ୭୩ କିଗ୍ରା ଜୁନିୟର ବର୍ଗରେ କର୍ଣ୍ଣାଟକର ପ୍ରଜ୍ୱଳ ମୋଟ ୨୭୭ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ରାଜସ୍ଥାନର ନୈତିକ ଜାଙ୍ଗିଦ ମୋଟ ୨୭୧ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଆନ୍ଧ୍ରପ୍ରଦେଶର ଜେ. କୋଟେଶ୍ୱର ରାଓ ୨୭୧ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ୍ ବିଜେତା ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ୱେଟ୍‌ଲିଫ୍‌ଟିଂ ଆସୋସିଏସନ୍‌ର ସଭାପତି କେ. ସୂର୍ଯ୍ୟନାରାୟଣ ଅତିଥି ଭାବେ ଯୋଗଦେଇ କୁଲଦୀପଙ୍କୁ ଓ ଆଇଡବ୍‌ଲ୍ୟୁଏଲ୍‌ଏଫ୍‌ର କାର୍ଯ୍ୟକାରୀ ସଦସ୍ୟ ରବି ଶର୍ମା ମିହିରଙ୍କୁ ପ୍ରଦାନ କରିଥିଲେ ।