ଡି.ଏ.ଭି କଳିଙ୍ଗ ନଗରରେ ଜାତୀୟ କ୍ରୀଡ଼ା ଉପଲକ୍ଷେ ଗଣଦୌଡ଼

ଭୁବନେଶ୍ୱର,୨୯ା୮: ଶିକ୍ଷାକ୍ଷେତ୍ରରେ ଅଧ୍ୟୟନ ସହିତ କ୍ରୀଡ଼ାର ବିଶେଷ ଗୁରୁତ୍ୱ ରହିଛି। ଏ ନେଇ ସ୍ଥାନୀୟ ଡି.ଏ.ଭି ସ୍କୁଲ କଳିଙ୍ଗ ନଗରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ କିମ୍ବଦନ୍ତୀ କ୍ରୀଡ଼ାବିତ୍ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୩୫୦ରୁ ଉଦ୍ଧ୍ୱର୍ ବିଦ୍ୟାର୍ଥୀ ଓ ଅଭିଭାବକଙ୍କୁ ନେଇ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଓଡ଼ିଶାର ସୁନାମଧନ୍ୟ ଚେସ୍ ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ” ଉନ୍ମୋଚନ ଉତ୍ସବକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଶିଶୁ କ୍ରୀଡ଼ାବିତ୍ଙ୍କ ଦ୍ୱାରା ଏକ ସ୍କେଟିଙ୍ଗ୍ ଓ ଫୁଟବଲ୍ ଶୋ’ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଏକ ସ୍ୱତନ୍ତ୍ର ସମାରୋହରେ ଅନୁଷ୍ଠାନର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ଗଣଦୌଡ଼ ଓ କୁଇଜ୍ ବିଜେତାମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ବିଦ୍ୟାଳୟର ଶାରୀରିକ ଶିକ୍ଷା ବିଭାଗର ଶିକ୍ଷକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ଏ. ରବିଶଙ୍କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟିକୁ ସୂଚାରୁ ରୁପେ ପରିଚାଳନା କରାଯାଇଥିଲା।