ନ୍ୟାସନାଲ ଓପନ ଆଥଲେଟିକ ଚାମ୍ପିଅନଶିପରେ ଦୂତୀଙ୍କ ରେକର୍ଡ, ଅମିୟ ଓ ଜଉନାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ଦୁଇ ଆଥଲେଟ ଦୂତୀ ଚାନ୍ଦ ଏବଂ ଅମିୟ ମଲ୍ଲିକ ସେମାନଙ୍କ ପ୍ରଦର୍ଶନ ବଳରେ ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଝାଡଖଣ୍ଡର ରାଞ୍ଚିଠାରେ ଚାଲିଥିବା ୫୯ତମ ନ୍ୟାସନାଲ ଓପନ ଆଥଲେଟିକ ମିଟ୍ରେ ଉଭୟ ପ୍ରତିଯୋଗୀ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କିନ୍ତୁ ଦୂତୀ ତାଙ୍କ ପ୍ରିୟ ଇଭେଣ୍ଟ ମହିଳା ୧୦୦ ମିଟର ଦୌଡରେ ନ୍ୟାସନାଲ ରେକର୍ଡ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛନ୍ତି। ଏମାନଙ୍କ ସହ ମଧ୍ୟ ଆଉ ଜଣେ ଓଡ଼ିଆ ଆଥଲେଟ୍ ଜଉନା ମୁର୍ମୁ ଏହି ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍ (ଓଏନଜିସି) ପକ୍ଷରୁ ପ୍ରତନିଧିତ୍ୱ କରୁଥିବା ଏହି ଓଡ଼ିଆ ଆଥ୍ଲେଟ୍ ମହିଳା ୪୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଶୁକ୍ରବାର ଅନୁଷ୍ଠିତ ମହିଳା ୧୦୦ ମିଟର ଦୌଡର ସେମିଫାଇନାଲ ହିଟ୍-୧ରେ ଦୂତୀ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ। ସେ ଏହି ଦୂରତାକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ନିଜ ନାମରେ ଥିବା ନ୍ୟାସନାଲ ରେକର୍ଡକୁ ଭାଙ୍ଗିଦେଇଥିଲେ। ପୂର୍ବରୁ ସେ ୧୧.୨୬ ସେକେଣ୍ଡରେ ଏହାକୁ ଅତିକ୍ରମ କରି ନ୍ୟାସନାଲ ରେକର୍ଡ ପ୍ରତିଷ୍ଠା କରିଥିଲେ। ନିକଟରେ ଦୋହାରେ ଅନୁଷ୍ଠିତ ୱାର୍ଲ୍ଡ ଆଥଲେଟିକ୍ ଚାମ୍ପିଅନଶିପରେ ଏହି ପ୍ରଦର୍ଶନ କରିପାରିଥିଲେ ଭାରତକୁ ଅଧିକ ସମ୍ମାନ ମିଳିଥାନ୍ତା।

ନ୍ୟାସନାଲ ରେକର୍ଡ କରିବା ପରେ ଫାଇନାଲରେ ମଧ୍ୟ ତାଙ୍କ ଦବ୍ଦବା ରହିଥିଲା। ଫାଇନାଲରେ ସେ ୧୧.୨୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ଭାରତରେ ସେ ମହିଳା ୧୦୦ ମିଟର ଦୌଡରେ ଅପ୍ରତିଦ୍ୱନ୍ଦ୍ୱୀଥିବା ଏଥିରୁ ପ୍ରମାଣିତ କରିଛନ୍ତି। ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ ୧୧.୫୪ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ଏବଂ ରେଲୱେର ବେଙ୍ଗଲୀ ଆଥ୍ଲେଟ୍ ହିମାଶ୍ରୀ ରୟ ୧୧.୫୭ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅର୍ଚ୍ଚନା ରୌପ୍ୟ ଏବଂ ହିମାଶ୍ରୀ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ସେହିପରି ପୁରୁଷ ୧୦୦ ମିଟର ଦୌଡରେ ମଧ୍ୟ ଓଡ଼ିଶାର ଅମିୟ ମଲ୍ଲିକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଫାଇନାଲରେ ଅମିୟ ଏହି ଦୂରତାକୁ ୧୦.୪୬ ସେକେଣ୍ଡରେ ଅତିକ୍ରକ କରି ପ୍ରଥମ ସ୍ଥାନରେ ରହିଥିଲେ। ଇଞ୍ଜୁରୀ ଯୋଗୁଁ ପ୍ରତିଯୋଗିତାରୁ ଦୂରେଇ ରହିଥିବା ଅମିୟ ଏଠାରେ ସ୍ୱର୍ଣ୍ଣପଦକ ଜିତି ସଫଳତାର ସହ ଆଥଲେଟିକ୍ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ରେସ୍ରେ ମାଲେସିଆର ଜୋନାଥନ ଆନେକ ନେପା ୧୦.୪୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ଏବଂ ପଞ୍ଜାବର ଗୁରବିନ୍ଦର ସିଂ ୧୦.୪୮ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି।

ମହିଳା ୪୦୦ ମିଟର ହର୍ଡଲ୍ସରେ ଜଉନା ୫୮.୦୮ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ଜିତିଥିଲେ। ପଞ୍ଜାବର ଭୀରାପାଲ କୌର ୫୮.୫୩ ସେକେଣ୍ଡ ସମୟ ନେଇ ରୌପ୍ୟ ଏବଂ ରେଲୱେର ଅର୍ପିତା ମଞ୍ଜୁନାଥ ୫୯.୭୫ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।