ଓଟିଭି ଏବଂ ଓଡ୍ରାଫ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦବି କଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ଝାରସୁଗୁଡା

ଝାରସୁଗୁଡା,ଏନ୍ଏନ୍ଏସ୍: ଓଟିଭି ଏବଂ ଓଡ୍ରାଫ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ଝାରସୁଗୁଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ପକ୍ଷରୁ କୁହାଯାଇଛି ଯେ, ମୁଣ୍ଡୁଳି ବ୍ୟାରେଜ ନିକଟରୁ ହାତୀ ଉଦ୍ଧାର ବେଳେ ଭୁଲ ନିଷ୍ପତି ଯୋଗୁଁ ଜଣେ ସାମ୍ବାଦିକଙ୍କ ଜୀବନ ହାନି ହୋଇଛି।

ଟିଭି ଚ୍ୟାନେଲ କର୍ତ୍ତୃପକ୍ଷ ଏହିପରି ବିପଦପୂର୍ଣ୍ଣ ଅପରେସନରେ ସାମ୍ବାଦିକ ଜଣକୁ ପଠାଇବା ପାଇଁ ଅନୁମତି ଦେଇଥିବାବେଳେ ଓଡ୍ରାଫ ଟିମ ସେମାନଙ୍କୁ ସାଙ୍ଗରେ ନେଇକି ଗଲେ। ଏହିପରି ବିପଦପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବାପାଇଁ ତାଲିମ ନେଇ ନଥିବାରୁ ଦୁର୍ଘଟଣାରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କର ଏହି ମୃତ୍ୟୁରେ ପରୋକ୍ଷ ଭାବରେ ଟିଭି ଏବଂ ଓଡ୍ରାଫ କର୍ତ୍ତୃପକ୍ଷ ଦାୟୀ। ଏହି ଘଟଣାର ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ଝାରସୁଗୁଡା ଶାଖା ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ଶାଖାର ସଭାପତି ରବୀନ୍ଦ୍ର ସାହୁ, ଉପଦେଷ୍ଟା ସୁରେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ସଦସ୍ୟମାନେ ଉପସ୍ଥିତ ଥିଲେ।