ଜାତୀୟ ପତାକା ବିବର୍ତ୍ତନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସ୍ୱାଧୀନ ହେବାପରଠାରୁ ଆମର ଜାତୀୟ ପତାକାକୁ ନେଇ ଦେଶବାସୀ ସବୁବେଳେ ଗର୍ବ ଅନୁଭବ କରିଆସୁଛନ୍ତି। ସରକାରୀ, ବେସରକାରୀ ପ୍ରତିଷ୍ଠାନରେ ଏହି ପତାକା ଉଡୁଥିବାବେଳେ ଜାତୀୟ ଦିବସ ଗୁଡିକରେ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହକାରେ ଏହାକୁ ବିଭିନ୍ନ ସ୍ଥାନରେ ଉତ୍ତୋଳନ କରାଯାଇଥାଏ। ବର୍ତ୍ତମାନ ଯେଉଁ ତ୍ରିରଙ୍ଗା ବ୍ୟବହାର କରାଯାଉଛି, ସେଥିରେ ତିନୋଟି ରଙ୍ଗ ରହିଛି। ସବା ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁୁଜ ରଙ୍ଗ ରହିଛି। ପତାକା ମଝିରେ (ଧଳା ଅଂଶରେ) ଅଶୋକ ଚକ୍ରକୁ ସ୍ଥାନିତ କରାଯାଇଛି। ନାରଙ୍ଗୀ ରଙ୍ଗ ଦେଶର ଶକ୍ତି ଓ ସାହସର ପ୍ରତୀକ ହୋଇଥିବାବେଳେ ଧଳା ହେଉଛି ସତ୍ୟ ଓ ଶାନ୍ତିର ପ୍ରତୀକ। ସବୁଜ ରଙ୍ଗ ଦେଶର ସମୃଦ୍ଧି, ଉର୍ବରତା ଓ ପବିତ୍ରତାକୁ ଚିହ୍ନଟ କରୁଛି। ତେବେ ଆଜି ଯେଉଁ ଜାତୀୟ ପତାକା ବ୍ୟବହୃତ ହେଉଛି, ବିଗତ ୭୩ ବର୍ଷ ମଧ୍ୟରେ ଏହାର ବିବର୍ତ୍ତନ ଘଟିଛି। ସେ ସମ୍ପର୍କରେ କେତେକ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା
(୧) ୧୯୦୬ ଅଗଷ୍ଟ ୭ରେ ପ୍ରଥମଥର ଭାରତର ଜାତୀୟ ପତାକାକୁ କୋଲକାତାର ପାର୍ସି ବାଗାନ ସ୍କୋୟାରରେ ଉତ୍ତୋଳନ କରାଯାଇଥିଲା। ଉକ୍ତ ପତାକାରେ ତିନିଟି ରଙ୍ଗ ଯଥା ଲାଲ, ହଳଦିଆ ଓ ସବୁଜକୁ ଲମ୍ବ ଆକାରରେ (ହୋରାଇଜେଣ୍ଟାଲ) ସ୍ଥାନିତ କରାଯାଇଥିଲା। (୨) ସେହିବର୍ଷ କାମା, ବୀର ସଭରକର ଓ ଶ୍ୟାମଜୀ କୃଷ୍ଣ ବର୍ମା ନୂଆ ପତାକାର ଡିଜାଇନ ପ୍ରସ୍ତୁତ କରିବା ସହ ଏହାକୁ ଜର୍ମାନୀର ରାଜଧାନୀ ବର୍ଲିନରେ ଆୟୋଜିତ ଏକ ସମାବେଶରେ ଉଡାଇଥିଲେ। ଉପରି ଭାଗ ନାରଙ୍ଗୀ ହୋଇଥିବାବେଳେ ଏଥିରେ ପଦ୍ମଫୁଲ ଓ ୭ଟି ତାରା (ସପ୍ତର୍ଷି ମଣ୍ଡଳ)କୁ ସ୍ଥାନିତ କରାଯାଇଥିଲା। ମଝିରେ ଧଳା ଓ ନିମ୍ନଭାଗ ସବୁଜ ରଙ୍ଗ ହୋଇଥିବାବେଳେ ଏଥିରେ ‘ବନ୍ଦେ ମାତରଂ’ ଲେଖାଯାଇଥିଲା। (୩) ୧୯୧୭ରେ ଆନି ବେସାନ୍ତ ଓ ଲୋକମାନ୍ୟ ତିଳକ ନୂତନ ପତାକାର ଡିଜାଇନ ପ୍ରସ୍ତୁତ କରିଥିଲେ।

ଉକ୍ତ ପତାକାରେ ୫ଟି ଲାଲ ଓ ୪ଟି ସବୁଜ ହୋରାଇଜେଣ୍ଟାଲ ଷ୍ଟ୍ରିପକୁ ଗୋଟିଏ ପରେ ଗୋଟିଏ କ୍ରମରେ ସ୍ଥାନିତ କରାଯାଇଥିଲା। ବାମ କୋଣରେ ୟୁନିୟନ ଜ୍ୟାକ୍ ଓ ଡାହାଣ  କୋଣରେ ହ୍ୱାଇଟ୍ କ୍ରେସେଣ୍ଟ ଓ ତାରା ଚିହ୍ନ ରହିଥିଲା। ୧୯୨୧ରେ ମଛଲିପଟ୍ଟନମ୍ ବାସିନ୍ଦା ପିଙ୍ଗାଲି ଭେଙ୍କୟା ଜାତୀୟ ପତାକାର ଆଉ ଏକ ଡିଜାଇନ ପ୍ରସ୍ତୁତ କରିଥିଲେ। ଏଥିରେ କେବଳ ଦୁଇଟି ରଙ୍ଗ ଯଥା ଲାଲ ଓ ସବୁଜକୁ ସ୍ଥାନିତ କରାଯାଇଥିଲା। ସେତେବେଳେ ବିଜୟୱାଡା ଗସ୍ତରେ ଯାଇଥିବା ମହାତ୍ମା ଗାନ୍ଧୀ ଉକ୍ତ ପତାକାରେ ଧଳା ରଙ୍ଗ ଯୋଡିବା ସହ ପତାକା ମଝିରେ ଚରଖାକୁ ସ୍ଥାନିତ କରିବାକୁ ଭେଙ୍କୟାଙ୍କୁ ପରାମର୍ଶ ଦେଇଥିଲେ। ୧୯୩୧ରେ ଭେଙ୍କୟା ଜାତୀୟ ପତାକାର ପୁନଃ ଡିଜାଇନ ପ୍ରସ୍ତୁତ କରିଥିଲେ। ଏଥର ଉପରିଭାଗରେ ଲାଲ ବଦଳରେ ନାରଙ୍ଗୀ ରଖିଥିବାବେଳେ ମଝିରେ ଧଳା, ନିମ୍ନରେ ସବୁଜ ରଙ୍ଗ ଓ ପତାକା ମଝିରେ ଚରଖା ଅପରିବର୍ତ୍ତିତ ରହିଥିଲା। ତେବେ ୧୯୪୭ ଜୁଲାଇ ୨୨ରେ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି ରେ ଜାତୀୟ ପତାକାର ଚୂଡାନ୍ତ ଡିଜାଇନକୁ ଅନୁମୋଦନ କରାଯାଇଥିଲା। ଉପରେ ନାରଙ୍ଗୀ, ମଝିରେ ଧଳା ଓ ନିମ୍ନରେ ସବୁଜ ରଙ୍ଗ ଥିବାବେଳେ କେବଳ ଚରଖା ସ୍ଥାନରେ ଅଶୋକ ଚକ୍ରକୁ ସ୍ଥାନିତ କରାଯାଇଥିଲା। ଏହି ଚକ୍ରକୁ ଧର୍ମର ପ୍ରତୀକଭାବେ ବିବେଚନା କରାଯାଇଥାଏ।