ନ୍ୟାସନାଲ ସ୍ପୋର୍ଟ୍ସ କ୍ଲାଇମ୍ବିଂରେ ଅନିଶାଙ୍କ ରେକର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ (ଆଇଏମଏଫ୍) ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୫ତମ ନ୍ୟାସନାଲ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଚାମ୍ପିଅନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଷ୍ଟ ଜୋନ୍ ସର୍ବାଧିକ ୩୪ ପଏଣ୍ଟ ପାଇ ପ୍ରଥମଥର ଓଭରଅଲ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଏହି ସଫଳତା ମିଳିଛି ଝାଡଖଣ୍ଡର ପ୍ରତିଯୋଗୀଙ୍କ ପ୍ରଦର୍ଶନ ଲାଗି। ଟାଟା ସ୍ପୋର୍ଟ୍ସ ଆଡଭେଞ୍ଚର ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରଶିକ୍ଷଣ ପାଇଥିବା ପ୍ରତିଯୋଗୀଙ୍କ ସଫଳତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମେଣ୍ଟର ତଥା ଏଭରେଷ୍ଟର ହେମନ୍ତ ଗୁପ୍ତା କହିଛନ୍ତି।

ଏହି ଦଳରେ ସ୍ଥାନ ପାଇଥିବା ଭାଇ ଓ ଭଉଣୀ ଅମନ ଓ ଅନିଶା ବର୍ମା ଜୁନିୟର ବାଳକ ଓ ବାଳିକା କାଟାଗୋରୀରେ ୩ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଉଭୟ ଭାଇ ଭଉଣୀ ସ୍ପିଡ୍, ଲିଡ୍ ଓ ବୋଲ୍ଡରିଂରେ ଗୋଲ୍ଡ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ମଧ୍ୟରୁ ଅନିଶା ସ୍ପିଡ୍ କ୍ଲାଇମ୍ବିଂରେ ଏକ ନୂଆ ନ୍ୟାସନାଲ ରେକର୍ଡ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛନ୍ତି। ସେ ଏହାକୁ ୧୦.୪୧ ସେକେଣ୍ଡରେ ଚଢି ଏହି ରେକର୍ଡ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ରେକର୍ଡ ତାଙ୍କ ନାମରେ ରହିଥିଲା। ସେ ଏହାକୁ ୧୦.୭୫ ସେକେଣ୍ଡରେ ଚଢି ରେକର୍ଡ କରିଥିଲେ। ଏହି ଟାଇମିଂ ମଧ୍ୟ ୩ଟି କାଟାଗୋରୀରେ ଶ୍ରେଷ୍ଠ।

ଏହି ଚାମ୍ପିଅନଶିପରେ ୭ଟି ଜୋନରୁ ୧୮୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଇଷ୍ଟଜୋନ୍ ଓଭରଅଲ ଚାମ୍ପିଅନ୍ ହୋଇଥିଲାବେଳେ ଏହି ଜୋନଠାରୁ ୭ ପଏଣ୍ଟ କମ୍ ପାଇ ସାଉଥ୍ ଜୋନ ଏବଂ ୬ ପଏଣ୍ଟ କମ୍ ପାଇ ୱେଷ୍ଟ ଜୋନ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଛନ୍ତି। ୧୩ ଜଣିଆ ଇଷ୍ଟଜୋନ୍ ଦଳରେ ଓଡ଼ିଶାରୁ ୬ଜଣ ପ୍ରତିଯୋଗୀ ରହିଥିଲେ ମଧ୍ୟ ଜଣେ ହେଲେ ପଦକ ଜିତିବାକୁ ସମର୍ଥ ହୋଇ ନାହାନ୍ତି।