ଓଡ଼ିଶାର ୩ ଝିଅଙ୍କୁ ଜାତୀୟ ସାହସିକତା ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ୬୩ତମ ଜାତୀୟ ସାହସିକତା ପୁରସ୍କାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଇଣ୍ଡିଆନ କାଉନସିଲ୍ ଫର୍ ଚାଇଲ୍ଡ ୱେଲଫେୟାର ପକ୍ଷରୁ ବଛାଯାଇଥିବା ୨୨ଜଣ କିଶୋରକିଶୋରୀଙ୍କ ମଧ୍ୟରେ ଓଡ଼ିଶାର ତିନିଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ାର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରି ଏବଂ ଅନୁଗୁଳ ଘଣ୍ଟପଡ଼ାର ଚତୁର୍ଥ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ବଦ୍ରା। ମନୋନୀତ ହୋଇଥିବା ସମସ୍ତ କିଶୋରକିଶୋରୀଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଜାନୁଆରୀ ୨ ତାରିଖରେ କେନ୍ଦ୍ରାପଡ଼ା ହୁକିଟୋଲା ଦୀପକୁ ପ୍ରାୟ ୫୫ ଜଣ ପିକ୍ନିକ କରିବାକୁ ଯାଇଥିଲେ। ଦ୍ୱୀପରୁ ପିକ୍ନିକ ସାରି ଡଙ୍ଗାରେ ଫେରିବା ବେଳେ ମହାକାଳପଡ଼ା ନିପାଣିଆଠାରେ ଡଙ୍ଗାଟି ବୁଡ଼ିଯାଇଥିଲା। ତେବେ ସେହି ନିପାଣିଆ ଗ୍ରାମର ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା ଶୀତୁଆ ରାତିରେ ଜୁଆରିଆ ନଈ ଓ କୁମ୍ଭୀରଙ୍କୁ ଖାତିର୍ ନକରି ପ୍ରାୟ ୧୨ ଜଣ ବିପନ୍ନଙ୍କୁ ଉଦ୍ଧାର କରିଥିଲେ। ସେହିପରି ଅନୁଗୁଳ ଘଣ୍ଟପଡ଼ାର ଶ୍ରୀମତୀ ବଦ୍ରା ମଧ୍ୟ ଅପୂର୍ବ ସାହସ ପ୍ରଦର୍ଶନ କରି ସାରା ଦେଶରେ ନିଜକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବଦ୍ରା ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ରେଳଧାରଣା ପାରିହେବା ବେଳେ ଜଣେ ଦୁର୍ଘଟମାଗ୍ରସ୍ତ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କୁ ଟ୍ରେନ୍ ତଳୁ ଟାଣିଆଣିବାରେ ସମର୍ଥ ହୋଇଥିଲେ। ପରେ ପ୍ରମିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ସେଠାରୁ ଉଦ୍ଧାର କରି ତାଙ୍କ ଗ୍ରାମକୁ ନେଇିଥିଲେ। ଦୁର୍ଘଟଣାରେ ପ୍ରମିଳା ନିଜର ଗୋଟିଏ ଗୋଡ଼ ହରାଇଥିଲେ ମଧ୍ୟ ଶ୍ରୀମତୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁଁ ତାଙ୍କର ଜୀବନ ରକ୍ଷା ହୋଇଥିଲା।