ରୁପେଲି ପର୍ଦ୍ଦାରେ ଦେଶପ୍ରେମ

ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରେମ ଆଧାରିତ, ଆକ୍ସନଧର୍ମୀ, ଦେବଦେବୀଙ୍କ ମହିମା ସମ୍ବଳିତ ଅନେକ ସିନେମା ନିର୍ମାଣ ହୋଇଛି। ସେହି ତୁଳନାରେ ଦେଶପ୍ରେମ ଆଧାରିତ ଫିଲ୍ମ ବିଶେଷ ଦେଖିବାକୁ ମିଳିନାହିଁ। ଏହାକୁ ନଜରରେ ରଖି ସମ୍ଭବତଃ ପ୍ରଥମ ଥର ପାଇଁ ରୁପେଲି ପର୍ଦ୍ଦାରେ ଦେଶପ୍ରେମର ବାର୍ତ୍ତା ବାଣ୍ଟିବାକୁ ଅଣ୍ଟା ଭିଡ଼ିଛନ୍ତି ପ୍ରଯୋଜକ ବିଶ୍ୱନାଥ ପଟ୍ଟନାୟକ।

‘ଶହୀଦ ରଘୁ ସର୍ଦ୍ଦାର’ ଶୀର୍ଷକ ଏକ ଫିଲ୍ମ ନିର୍ମାଣ କରି ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ରାଜୀବ ମହାନ୍ତି ଏହି ସ୍ୱତନ୍ତ୍ର ସ୍ୱାଦର ସିନେମାକୁ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ ଦେବାଶିଷ, କାବ୍ୟା, ସନ୍ତୋଷ, ଜିନା, ରୁଦ୍ର, ପିଣ୍ଟୁ ନନ୍ଦ, ରାଜୀବ ମହାନ୍ତି, ବିଜୁ ବଡ଼ଜେନା ପ୍ରମୁଖଙ୍କୁ ଦେଖିବେ। ବିକାଶ ଶୁକ୍ଳା ଏ ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଉଛନ୍ତି। କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ଡଃ ରଜନୀ ରଞ୍ଜନ ସଂଳାପ ଲେଖିଛନ୍ତି।

ସମ୍ପ୍ରତି ଏ ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି। ଏଥିପାଇଁ ଝାଳବୁହା ପରିଶ୍ରମ କରୁଛନ୍ତି ଫିଲ୍ମରେ ଅଭିନୟ କରୁଥିବା ଅଭିନେତାମାନେ। ଏ ଫଟୋଟି ତା’ର ଏକ ନମୁନା। ଶହୀଦଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଏ ଫିଲ୍ମକୁ ଦର୍ଶକ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା।