ନତାଶା ହେବେ ପାଣ୍ଡ୍ୟାଙ୍କ ଜୀବନସାଥୀ

ଦୁବାଇ: ୨୦୨୦ ବର୍ଷର ପ୍ରଥମ ଦିନରେ ଭାରତର ତାରକା ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଶୁଭେଚ୍ଛୁମାନଙ୍କୁ ଏକ ସୁଖବର ଦେଇଛନ୍ତି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତଥା ମଧ୍ୟମଗତି ବୋଲର୍ ତାଙ୍କ ଜୀବନସାଥୀ ଭାବେ ସର୍ବିୟାରେ ଜନ୍ମିତା ତଥା ବଲିଉଡରେ ସକ୍ରିୟ ଥିବା ଅଭିନେତ୍ରୀ ନତାଶ ଷ୍ଟାଙ୍କୋଭିକଙ୍କୁ ବାଛିଛନ୍ତି। ନୂଆବର୍ଷରେ ଦୁବାଇଠାରେ ସେ ନତାଶାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ୍ ମଧ୍ୟ କରିଛନ୍ତି। ଏହି ସମୟର ଏକ ଭିଡିଓ ହାର୍ଦ୍ଦିକ ସୋସାଲ୍ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ୍ ମଧ୍ୟ କରିଛନ୍ତି। ଏହି ପୋଷ୍ଟ୍ରେ ହାର୍ଦ୍ଦିକ ଏକ ଲୋକପ୍ରିୟ ହିନ୍ଦୀ ସିନେମା ସଙ୍ଗୀତର ମୁଖଡା “ମେଁ ତେରା, ତୁ ମେରୀ, ଜାନେ ସାରା ହିନ୍ଦୁସ୍ତାନ’ କ୍ୟାପସନ୍ ଭାବେ ମଧ୍ୟ ଉଲ୍ଲେଖ କରିଛନ୍ତି।

ହାର୍ଦ୍ଦିକ ତାଙ୍କର କେତେକ ବନ୍ଧୁ ଓ ନତାଶାଙ୍କ ସହ କିଛି ଖୁସି ମୁହୂର୍ତ୍ତର ଫଟୋ ମଧ୍ୟ ସୋସାଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଏକ ଭିଡିଓରେ ନତାଶା ଓ ହାର୍ଦ୍ଦିକ ସେମାନଙ୍କ ବନ୍ଧୁଙ୍କ ବଲିଉଡ୍ ରୋମାଣ୍ଟିକ୍ ଗୀତରେ ନାଚ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ନିଜ ନିଜ କ୍ଷେତ୍ରରେ ବେଶ୍ ସଫଳତା ଲାଭ କରିଥିବା ଏହି ଦୁଇ ତାରକା ନୌଚାଳନାରେ ନୂଆବର୍ଷର ମଜା ଉଠାଇଛନ୍ତି। ସେହିପରି ଅନ୍ୟ ଏକ ଭିଡିଓରେ ନତାଶାଙ୍କୁ ହାର୍ଦ୍ଦିକ କିସ୍ କରୁଥିବାର ଦୃଶ୍ୟ ମଧ୍ୟ ରହିଛି। ନତାଶା ପ୍ରକାଶ ଝା’ଙ୍କ ଚଳଚ୍ଚିତ୍ର ‘ସତ୍ୟାଗ୍ରହ’ ମାଧ୍ୟମରେ ବଲିଉଡ୍ରେ ଏଣ୍ଟ୍ରି କରିଥିବା ବେଳେ ଅଦ୍ୟାବଧି ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।

ଗତବର୍ଷ ସେ ଇମରାନ୍ ହାଶମୀ ଓ ଋଷି କପୁରଙ୍କ ଅଭିନୀତ “ଦି ବଡି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ପୂର୍ବରୁ ବିଗ୍ ବସ୍ର ୮ ସିଜନରେ ସେ ଭାଗ ନେବା ପରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଆଘାତଜନିତ କାରଣରୁ ହାର୍ଦ୍ଦିକ ବର୍ତ୍ତମାନ ଜାତୀୟ ଦଳଠାରୁ ଦୂରେଇ ରହିଥିଲେ ହେଁ ଆସନ୍ତା ଜାନୁଆରୀ ୨୨ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଅନଅଫିସିଆଲ୍ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ-ଏ’ ଦଳରେ ସାମିଲ୍ ହୋଇଛନ୍ତି।

ଏହି ସିରିଜ୍ ମାଧ୍ୟମରେ ଫିଟ୍ନେସ୍ ଟେଷ୍ଟ୍ ଦେବା ପରେ ତାଙ୍କୁ ଭାରତର ଆଗାମୀ ନ୍ୟୁଜିଲାଣ୍ଡ୍ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ୍ କରିବାର ସମ୍ଭାବନା ରହିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଦଳୀୟ ସାଥୀ ହାର୍ଦ୍ଦିକଙ୍କ ଏପରି ଅଚାନକ ଘୋଷଣା ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ତେବେ ସେ ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେହିପରି ଚାଇନାମାନ୍ ବୋଲର୍ କୁଲଦୀପ ଯାଦବ ମଧ୍ୟ ହାର୍ଦ୍ଦିକଙ୍କୁ ବଧେଇ ଜଣାଇଛନ୍ତି।