ଇଂଲଣ୍ଡ ଦଳକୁ ନାସେର୍ ହୁସେନଙ୍କ ଚେତାବନୀ : ପ୍ରତ୍ୟାବର୍ତ୍ତନ କରିବାରେ ଭାରତ ସକ୍ଷମ

ଚେନ୍ନାଇ,ଏଜେନ୍ସି: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଚେତାବନୀ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସେର୍ ହୁସେନ୍। ହୁସେନଙ୍କ ଅନୁସାରେ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଛି। ତେବେ ଇଂଲଣ୍ଡ ମନେ ରଖିବା ଉଚିତ ଯେ ଏହି ପରାଜୟ ପରେ ସିରିଜର ଅନ୍ୟ ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ। ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨୨୭ ରନରେ ଭାରତକୁ ପରାସ୍ତ କରିବା ସହ ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।

ସ୍କାଏ ସ୍ପୋର୍ଟ୍ସରେ ଏକ ସ୍ତମ୍ଭରେ ହୁସେନ୍ ଲେଖିଛନ୍ତି, “ଇଂଲଣ୍ଡ ସମସ୍ତଙ୍କୁ ଭୁଲ ସାବ୍ୟସ୍ତ କରିଦେଇଛି। କେତେକ କହୁଥିଲେ ଭାରତ ୪-୦ରେ ସିରିଜ୍ ଜିତିବ। କେହି କେହି ଇଂଲଣ୍ଡର ଦାବିଦାରୀକୁ ମଧ୍ୟ ମାନିବାକୁ ପ୍ରସ୍ତୁତ ନଥିଲେ। ଫର୍ମରେ ଥିବା ଭାରତ ନିକଟରେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ପରାଜିତ କରିଥିଲା। ଏହା ବ୍ୟତୀତ ଦଳକୁ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଘଟିଥିଲା। ଏପରିକି ଯେଉଁ ଗ୍ରାଉଣ୍ଡରେ ଖେଳାଯାଉଥିଲା ସେଠାରେ ଟେଷ୍ଟ ମ୍ୟାଚ୍ ଜିତିବା ବହୁ କଷ୍ଟକର।’ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ଭାରତ ପ୍ରତ୍ୟାବର୍ତ୍ତନ କରିପାରେ, ଇଂଲଣ୍ଡକୁ ଏହା ଜାଣିବା ରଖିବା ଉଚିତ ବୋଲି ସେ କହିଛନ୍ତି।