ଭିଜିଲାନ୍ସ ଜାଲରେ ନନ୍ଦପୁର ସିଡିପିଓ

କୋରାପୁଟ,ଏନ୍ଏନ୍ଏସ୍: ଛତୁଆ ବିଲ୍ ପାସ୍ କରାଇବାକୁ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ନନ୍ଦପୁର ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନିଗ୍ଧା ରାଣୀ ମିଶ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ୩ ଭୈରବୀ ନାମକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନନ୍ଦପୁର ବ୍ଲକର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଛତୁଆ ଯୋଗାଇ ଆସୁଛି। ସେପ୍ଟେମ୍ବର ମାସର ବିଲ୍ ପାସ୍ କରାଇବା ନିମନ୍ତେ ସମ୍ପୃକ୍ତ ଏସଏଚଜିକୁ ସିଡିପିଓ ଶ୍ରୀମତୀ ମିଶ୍ର ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା।

ଭିଜିଲାନ୍ସ ଡିଏସପି ଏସ କେ ବିଶ୍ୱାଳ, ଇନ୍ସପେକ୍ଟର ଶିବ ରାମ ସାହୁ, ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଅନ୍ୟମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ପୂର୍ବ ଯୋଜନା ମୁତାବକ ସିଡିପିଓ ଶ୍ରୀମତୀ ମିଶ୍ର ନିଜ କାର୍ଯ୍ୟାଳୟରେ ଆଜି ଲାଞ୍ଚ ଟଙ୍କା ନେଉଥିବାବେଳେ କାବୁ କରିଥିଲେ। ସିଡିପିଓଙ୍କ ନନ୍ଦପୁର କାର୍ଯ୍ୟାଳୟ ସମେତ ସେମିଲିଗୁଡା ସ୍ଥିତ ବାସ ଭବନରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବା ଜଣାପଡିଛି।