ଆବୁଧାବି,ଏଜେନ୍ସି: ନାଁ କରୁଛି ନାମିବିୟା। ବୁଧବାର ସୁପର-୧୨ ଗ୍ରୁପ-ବିର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ନାମିବିୟା। ସ୍କଟଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ବିଶ୍ବକପରେ ଇତିହାସ ରଚିଛି। ପ୍ରଥମ କରି ବିଶ୍ବକପରେ ଯୋଗ୍ୟତା ଅର୍ଜନ କରିଥିବା ନାମିବିୟା ପ୍ରଥମ ରାଉଣ୍ଡରେ ୨ଟି ମ୍ୟାଚ ଜିତି ସୁପର-୧୨ରେ ପ୍ରବେଶ କରିଥିଲା। ରୁବେନ ଟ୍ରମ୍ପେଲମାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ନାମିବିୟା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପଡିଆକୁ ଓହ୍ଲାଇଥିଲେ ସ୍କଟଲାଣ୍ଡର ଦୁଇ ଓପନର। ପେସ ବୋଲର ରୁବେନ ଟ୍ରମ୍ପେଲମାନ ପ୍ରାରମ୍ଭରୁ ଘାତକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ସେ ୩ଟି ୱିକେଟ ଅକ୍ତିଆର କରିଥିଲେ। ଜର୍ଜ ମୁନସି, କ୍ୟାଲମ ମ୍ୟାକଲିୟଡ ଓ ରିଚି ବେରିଂଟନ ଖାତା ଖୋଲି ପାରିନଥିଲେ। ୨ ରନ ବେଳକୁ ସ୍କଟଲାଣ୍ଡ ୩ଟି ୱିକେଟ ହରାଇ ସାରିଥିଲା। ସେହପିର କ୍ରେସ ୱାଲେସ ୪ ରନରେ ଡେଭିଡ ୱିସଙ୍କ ବଲରେ ଆଉଟ ହୋଇଥିଲେ। ୧୮ରେ ଦଳର ୪ଟି ୱିକେଟ ପତନ ହୋଇଥିଲା। ଏହା ପରେ ମାଥ୍ୟୁ କ୍ରସଙ୍କ ସହିତ ମାଇକେଲ ଲିସ୍କ ଯୋଗ ଦେଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୫୭ ରନ ବେଳେ କ୍ରସ ୧୯ ରନରେ ପାଭିଲିୟନ ଫେରିଥିଲେ। ଏହାପରେ ଦଳୀୟ ସ୍କୋର ୯୩ବେଳେ ଲିସ୍କ ୪୪ ରନ କରି ଆଉଟ ହୋଇଥିଲେ। ସ୍କଟଲାଣ୍ଡ ଦଳ ଏକଦମ ସଙ୍କଟରେ ପଡିଯାଇଥିଲା। ୱିକେଟ ପତନ ସାଙ୍ଗକୁ ଓଭର ବାକି ନଥିବା କାରଣରୁ ବଡ ସ୍କୋର କରିବା ସ୍କଟଲାଣ୍ଡ ପାଇଁ କଷ୍ଟକର ହୋଇଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୧୦୯ ରନ କରିବାରେ ସଫଳ ହୋଇଥିଲା। ନାମିବିୟା ପକ୍ଷରୁ ରୁବେନ ୩ଟି ଓ ଜାନ ଫ୍ରିଲି ୨ଟି ୱିକେଟ ନେଇଥିଲେ।
୧୧୦ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ନାମିବିୟାର ଦୁଇ ଓପନର କ୍ରେଗ ୱିଲିୟମ୍ସ ଓ ମାଇକେଲ ଭାନ ଲିଙ୍ଗେନ। ସତର୍କତାର ସହ ବ୍ୟାଟିଂ କରିଥିଲେ ଦୁଇଜଣ। ଦଳୀୟ ସ୍କୋର ୧୮ ବେଳେ ବ୍ୟକ୍ତିଗତ ୧୮ରନ କରି ମାଇକେଲ ଆଉଟ ହୋଇଥିଲେ। ପରେ ଜେନ ୯ ରନ ଓ ଏରାସମସ ୨୩ ରନ କରି ଆଉଟ ହୋଇଥିଲେ । ସ୍କଟଲାଣ୍ଡ ଦଳ ଶୃଙ୍ଖଳିତ ବୋଲିଂ କରି ଦଳ ଉପରେ ଚାପ ପକାଇବାକୁ ଜୋରଦାର ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଜେଜେ ସ୍ମିଟ ଦୃଢ ବ୍ୟାଟିଂ ଜାରି ରଖି ଦଳକୁ ବିଜୟୀ କରିଥିଲେ। ପ୍ରଥମ କରି ବିଶ୍ବକପରେ ଖେଳୁଥିବା ନାମ୍ବିଆ ୧୧୫ରନ କରି ସ୍କଟଲାଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଛି।