୪.୪ କୋଟି ଗ୍ରାହକଙ୍କ ନାଁ ଓ ପାସୱାର୍ଡ ଲିକ୍

ନୂଆଦିଲ୍ଲୀ: ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ୪.୪ କୋଟି ଗ୍ରାହକଙ୍କ ନାଁ ଏବଂ ପାସୱାର୍ଡ ଲିକ୍ ହୋଇଛି। କମ୍ପାନୀର ଏହା ସବୁଠୁ ବଡ଼ ଡାଟା ଉଲ୍ଲଙ୍ଘନ ବୋଲି ଜଣାପଡ଼ିଛି। ଏହି ଉଲ୍ଲଙ୍ଘନ ଯୋଗୁଁ ଗ୍ରାହକମାନଙ୍କର ନାଁ ଓ ପାସୱାର୍ଡ ଲିକ୍ ହୋଇଛି। ରିପୋର୍ଟ ମୁତାବକ, ମାଇକ୍ରୋସଫ୍ଟ ଥ୍ରେଟ୍ ରିସର୍ଚ୍ଚ ଟିମ୍ ଏ ସମସ୍ତ ଆକାଉଣ୍ଟକୁ ଚଳିତବର୍ଷ ଜାନୁଆରୀ ଓ ମାର୍ଚ୍ଚରେ ସ୍କାନ୍ କରିଥିଲା ଏବଂ ସେମାନଙ୍କ ଡାଟାବେସକୁ ୩୦୦ କୋଟି ଲିକଡ କ୍ରେଡେନ୍ସିଆଲ୍ସ ସହିତ ମ୍ୟାଚ୍ କରିଥିବାବେଳେ ଏହି ଯାଞ୍ଚରେ ପ୍ରାୟ ୪.୪ କୋଟି ଗ୍ରାହକଙ୍କ କ୍ରେଡେନ୍ସିଆଲ୍ ମ୍ୟାଚ୍ ହୋଇଥିବା ଉଲ୍ଲେଖ କରାଯାଇଛି।

ଏହି ଲିକ୍ ସମ୍ବନ୍ଧରେ ଖବର ମିଳିବା ମାତ୍ରକେ ଗ୍ରାହକଙ୍କୁ ସେମାନଙ୍କ ଆକାଉଣ୍ଟକୁ ରିସେଟ୍ କରିବା ଲାଗି ମାଇକ୍ରୋସଫ୍ଟ ତରଫରୁ ଲିଙ୍କ୍ ପଠାଯାଇଛି। ଏଣ୍ଟରପ୍ରାଇଜ୍ ଆକାଉଣ୍ଟ ଗ୍ରାହକଙ୍କ ଆଡ୍ମିନିଷ୍ଟ୍ରେଟର୍ସଙ୍କୁ ସତର୍କ କରିଛି ଯେ ସେ ଗ୍ରାହକଙ୍କୁ ନିଜ ଆକାଉଣ୍ଟ ଏବଂ କ୍ରେଡେନ୍ସିଆଲ୍ସକୁ ରିସେଟ୍ କରିବା ଲାଗି କହୁ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଫେବୃଆରୀରେ ମଧ୍ୟ ଏଭଳି ଏକ ମାମଲା ସାମନାକୁ ଆସିଥିଲା। ସେହି ସମୟରେ କେମ୍ବ୍ରିଜ୍ ଆନାଲିଟିକା ଫେସବୁକର ଡାଟା ଲିକ୍ ପରେ ବିଶ୍ୱବ୍ୟାପୀ ସୋସିଆଲ୍ ମିଡିଆ କମ୍ପାନୀକୁ ଟାର୍ଗେଟ୍ରେ ରଖିଥିଲା।

ବର୍ତ୍ତମାନ ମାଇକ୍ରୋସଫ୍ଟର ଲିକ୍ ହୋଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ ଅଧିକାଂଶ ଏଣ୍ଟରପ୍ରାଇଜେସ୍ ଗ୍ରାହକଙ୍କ ଆକାଉଣ୍ଟ ସାମିଲ ରହିଥିବାରୁ ଏମାନଙ୍କ ଉପରେ ସର୍ବାଧିକ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି। ମାଇକ୍ରୋସଫ୍ଟର ୱିଣ୍ଡୋଜ୍ ଗ୍ରାହକ ମଧ୍ୟ ଏହି ଡାଟା ବ୍ରିଚ୍ର ଶିକାର ହୋଇପାରନ୍ତି। ଏ ପରିସ୍ଥିତିରେ ଏହି ଗ୍ରାହକମାନଙ୍କୁ ନିଜ କ୍ରେଡେନ୍ସିଆଲ୍ସକୁ ଅପ୍ଡେଟ୍ କରିବା ବ୍ୟତୀତ ନିଜ ସିଷ୍ଟମକୁ ମଧ୍ୟ ଲାଟେଷ୍ଟ ସିକ୍ୟୁରିଟି ପ୍ୟାଚ୍ ସହ ଅପଡେଟ୍ କରିବାକୁ ହେବ।