କାନପୁର: ବହୁଦିନର ପ୍ରତୀକ୍ଷା ପରେ ଶନିବାର ପ୍ରଥମ ଥର ପାଇଁ କାନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନ୍ୟାସନାଲ୍ ଗଙ୍ଗା କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଙ୍ଗାନଦୀକୁ ପ୍ରଦୂଷଣମୁକ୍ତ କରିବା ସହ ଡଲଫିନ ସୁରକ୍ଷା ପ୍ରତି ପ୍ରାଥମିକତା ଦିଆଯାଇଛି। ଗଙ୍ଗାନଦୀ ଅବବାହିକା ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଉକ୍ତ ବୈଠକରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗ ଦେଇ ନଥିଲେ। ଗଙ୍ଗାନଦୀ କୂଳରେ ଥିବା ସହରବାସୀଙ୍କ ପରିମଳ ବ୍ୟବସ୍ଥା ପାଇଁ ବିରାଟ ପରିକଳ୍ପନାର ରୂପରେଖ ଦିଆଯାଇଛି।
ଶିଳ୍ପାଞ୍ଚଳରୁ ବହି ଆସୁଥିବା ବିଷାକ୍ତ ଆବର୍ଜନା ସମେତ ଉପନଦୀର ଜଳଧାରା ଯେପରି ଗଙ୍ଗାକୁ ପ୍ରଦୂଷିତ ନ କରେ, ସେ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଛି। ଗଙ୍ଗାନଦୀ କୂଳରୁ ବେଆଇନ ଦଖଲକାରୀଙ୍କୁ ହଟାଇ ସେଠାରେ ମନୋରମ ଉଦ୍ୟାନ ପ୍ରତିଷ୍ଠା ପାଇଁ ବାଟ ଫିଟିଛି। ତା’ ସହିତ ଗଙ୍ଗାନଦୀରେ ନିରନ୍ତର ଜଳପ୍ରବାହ ପ୍ରତି ଗୁରୁତ୍ୱାରୋପ କରାଯାଇଛି। ‘ନମାମି ଗଙ୍ଗେ’ ପ୍ରକଳ୍ପର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ବୈଠକରେ ଯୋଗ ଦେଇଥିଲେ।
ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଷ୍ଟିମରରେ ବସି ଗଙ୍ଗାନଦୀରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ବୈଠକରେ ପଶ୍ଚିମବଙ୍ଗକୁ କେହି ପ୍ରତିନିଧିତ୍ୱ କରି ନଥିଲେ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ଜଣାଇଥିଲେ। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ବିହାର ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ୯ ଜଣ କେନ୍ଦ୍ରମନ୍ତ୍ରୀ ଓ ନୀତୀ ଆୟୋଗ ଉପାଧ୍ୟକ୍ଷଙ୍କୁ ନେଇ ନ୍ୟାସନାଲ୍ ଗଙ୍ଗା କାଉନ୍ସିଲ୍ ଗଠିତ।
ବର୍ଷକୁ ଅନ୍ତତଃ ଥରେ ବୈଠକ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ମଧ୍ୟ କାଉନସିଲ ଗଠନ ପରଠାରୁ ଗୋଟିଏ ସୁଦ୍ଧା ବୈଠକ ବସି ନଥିଲା। ବୈଠକରେ ‘ପ୍ରୋଜେକ୍ଟ ଡଲଫିନ’ ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୦୯ରେ ନ୍ୟାସନାଲ୍ ଗଙ୍ଗା ରିଭର୍ ବେସିନ ଅଥରିଟି (ଏନଜିଆରବିଏ) ଡଲଫିନକୁ ଜାତୀୟ ଜଳଚର ପ୍ରାଣୀ ରୂପେ ଘୋଷଣା କରିଥିଲେ। ପୃଥିବୀରେ ଦେଖାଯାଉଥିବା ଚାରିପ୍ରକାରର ମଧୁରଜଳ ଡଲଫିନ ମଧ୍ୟରୁ ଗଙ୍ଗାନଦୀରେ ବାସ କରୁଥିବା ଡଲଫିନ ଅନ୍ୟତମ ଥିବାରୁ ଉକ୍ତ ବିରଳ ପ୍ରାଣୀର ବଂଶବୃଦ୍ଧି ଓ ସୁରକ୍ଷା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସ୍କୁଲ ଓ କଲେଜରେ ନଦୀ ସଂରକ୍ଷଣ ବିଷୟକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଓ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯିବାର ଅଛି।
୨୦୧୫ ମେ’ ୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ‘ନମାମି ଗଙ୍ଗେ’ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୨୦,୦୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଥିଲେ। ୨୦୨୦ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଘୋଷିତ ପ୍ରକଳ୍ପ ପ୍ରତି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ନାହିଁ ବୋଲି ବହୁ ସଂଗଠନ ଅଭିଯୋଗ କରିଛନ୍ତି। ସେମାନଙ୍କ ମତରେ ଗଙ୍ଗାନଦୀ କୂଳରେ ପ୍ରତିଷ୍ଠିତ ଶିଳ୍ପାଞ୍ଚଳରୁ ନିର୍ଗତ ବିପୁଳ ପରିମାଣର ବର୍ଜ୍ୟବସ୍ତୁର ସ୍ଥାୟୀ ପ୍ରତିକାର କରାଯାଉନି।
ରାଜ୍ୟ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଥିବାରୁ ୨୦,୦୦୦ ହଜାର କୋଟି ଟଙ୍କାର ‘ନମାମି ଗଙ୍ଗେ’ ପ୍ରକଳ୍ପ ସମାଧି ନେବା ସୁନିଶ୍ଚିତ। ପ୍ରକଳ୍ପ ପାଇଁ କେତେକ ଶିଳ୍ପାଞ୍ଚଳକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ଶିଳ୍ପାଞ୍ଚଳକୁ ଅନ୍ୟତ୍ର ସ୍ଥାନାନ୍ତର କରା ନଗଲେ, ଉଦ୍ୟୋଗ ମାଲିକ ଓ ଶ୍ରମିକମାନେ କ୍ଷତିଗ୍ରସ୍ତ ହେବେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପସଂସ୍ଥା ଥଇଥାନ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତାମତ ପ୍ରକାଶ ପାଇଛି।