ନାଲକୋର ଅନୁଗୁଳ ପ୍ଳାଣ୍ଟ ସଂପ୍ରସାରଣକୁ କେନ୍ଦ୍ରର ଅନୁମତି ମିଳିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଅନୁଗୁଳସ୍ଥିତ ନାଲକୋର ଆଲୁମିନିୟମ ପ୍ଳାଣ୍ଟର ସଂପ୍ରସାରଣ ପ୍ରସ୍ତାବକୁ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି। ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ ଲେଖିଥିବା ପତ୍ରର ଉତ୍ତରରେ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ନାଲକୋ ପ୍ଳାଣ୍ଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ନାଲକୋ ଆଲୁମିନିୟମ ପ୍ଳାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ନିୟୁତ ଟନରୁ ୧ ନିୟୁତ ଟନ୍କୁ ବୃଦ୍ଧି କରିବା ପାଇଁ ଶ୍ରୀ ପ୍ରଧାନ ପତ୍ର ଲେଖିଥିଲେ। ଏହାର ଉତ୍ତରରେ ଶ୍ରୀ ଯୋଶୀ ଜଣାଇଛନ୍ତି ଯେ ନାଲକୋର ଏହି ପ୍ରକଳ୍ପ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି। ପ୍ରକଳ୍ପର ଡିଟେଲ୍ସ ପ୍ରେଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତକୁ ସାକାର କରିବା ପାଇଁ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟ କରିବା ଦିଗରେ ଖଣି ଓ କୋଇଲା ମନ୍ତ୍ରଣାଳୟ ସବୁ ପଦକ୍ଷେପ ନେଉଅଛି। ଏହି ସଂପ୍ରସାରଣ ପ୍ରକଳ୍ପ ଦେଶ ଏବଂ ରାଜ୍ୟର ବିକାଶରେ ସହାୟକ ହେବ। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍ ପାୱାର ପ୍ଳାଣ୍ଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ନିୟୁତ ଟନରୁ ବାର୍ଷିକ କ୍ଷମତା ୧୦.୫ ନିୟୁତ ଟନକୁ ବୃଦ୍ଧି ପାଇବ। ଏହାଦ୍ୱାରା ବାର୍ଷିକ ୩.୧ ନିୟୁତ ଟନ୍ ଆଲୁମିନା ଉତ୍ପାଦନ ହେବ ଏବଂ ଏଥିରୁ ବାର୍ଷିକ ୧.୫ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଛି।