‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ନିଜର ସାମରିକ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ଆଉ ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ୱାରହେଡ୍ ସହିତ ‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲର ଶେଷ ପର୍ଯ୍ୟାୟ ପରୀକ୍ଷା ସଫଳତାର ସହ ଶେଷ କରିଛି। ରାଜସ୍ଥାନର ଐତିହାସିକ ପୋଖରାନ୍‌ ଫିଲ୍ଡ ଫାୟାରିଂ ରେଞ୍ଜରେ ସକାଳ ୬.୪୫ରେ ଏହାର ପରୀକ୍ଷଣ ହୋଇଥିଲା। ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି।

ଏହାଦ୍ୱାରା ଶତ୍ରୁପକ୍ଷରୁ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ବହନ ଗାଡ଼ିକୁ ସହଜରେ ଧ୍ୱଂସ କରାଯାଇ ପାରିବ। ‘ନାଗ’ ମିସାଇଲ ସିଷ୍ଟମକୁ ଗୋଟିଏ ନାଗ ମିସାଇଲ କ୍ୟାରିୟର (ଏନଏଏମଆଇସିଏ)ରୁ ଉତକ୍ଷେପଣ କରାଯାଇପାରିବ। ଏହାର ଟାର୍ଗେଟ ରେଞ୍ଜ ହେଉଛି ୪-୭ କିଲୋମିଟର। ଏହା ଟାର୍ଗେଟର ପିଛା କରି ଏହାକୁ ଧ୍ୱଂସ କରିପାରିବ। ତୃତୀୟ ପିଢ଼ିର ଏହି ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ଆକ୍ରମଣ ଶୈଳୀ ଦ୍ୱାରା ଶତ୍ରୁ ପକ୍ଷରୁ ଯେ କୌଣସି ଜିନିଷକୁ ସହଜରେ ଧ୍ୱଂସ କରାଯାଇପାରିବ। ଉଭୟ ଦିନ ଓ ରାତିରେ ଏହା ଶତ୍ରୁ ପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରଖିଛି।