ଦେଶର ଶକ୍ତିଶାଳୀ ବ୍ୟକ୍ତି ତାଲିକାରେ ନବୀନ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର ବିଭିନ୍ନ ବର୍ଗର ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ କରାଯାଇଥିବା ସର୍ଭେରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ଏକ ଜାତୀୟ ଗଣମାଧ୍ୟ ପକ୍ଷରୁ ହୋଇଥିବା ଏହି ସର୍ଭେରେ ୧୦୦ ଜଣ ଶକ୍ତିଶାଳୀ ବିଶେଷଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଚାରପତି, ଚିତ୍ରତାରକା, ମୁଖ୍ୟମନ୍ତ୍ରୀ, ଅଫିସର ଓ ବ୍ୟବସାୟୀ ସ୍ଥାନ ପାଇଛନ୍ତି। ସର୍ଭେ ଅନୁସାରେ ଦେଶର ପ୍ରଧାନମନ୍ତ୍ରୀ ଏକ ନମ୍ବରରେ ରହିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ୩୯ ନମ୍ବରରେ ରହିଛନ୍ତି। ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଆସୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଲଗାତାର ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଛନ୍ତି। ସେ ତାଙ୍କ ରାଜନୈତିକ କ୍ୟାରିୟରରେ ନିର୍ବାଚନ ହାରି ନାହାନ୍ତି। ଏହା ତାଙ୍କ ଲୋକପ୍ରିୟତାର ସବୁଠାରୁ ବଡ ମାପକାଠି। ଜାତୀୟ ସ୍ତରରେ ହୋଇଥିବା ଏହି ସର୍ଭେରେ ମୁଖ୍ୟମନ୍ତ୍ରୀ ଲଗାତାର ସ୍ଥାନ ବଜାୟ ରଖିଆସୁଛନ୍ତି। କେବଳ ଓଡ଼ିଶା ରାଜନୀତିରେ ନୁହେଁ ବରଂ ଦେଶ ରାଜନୀତିରେ ମଧ୍ୟ ତାଙ୍କର ସକ୍ରିୟ ଭୂମିକା ରହିଛି। ତାଙ୍କ ସରକାର ୨୦୧୮ରେ ସଫଳତାର ସହ ବିଶ୍ୱ ହକି କପ୍ ଆୟୋଜନ କର ପାରିଥିଲା। ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବାରେ ସେ ପ୍ରତିଶ୍ରୁତି ବଦ୍ଧ। ସେହିଭଳି ପ୍ରକୃତିକ ବିପର୍ଯ୍ୟୟ ସମୟରେ ରେକର୍ଡ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ମଧ୍ୟ ହୋଇଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ ହବ୍ରେ ପରିଣତ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ସହଯୋଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେହିଭଳି ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ ନମ୍ବର ରହିଛନ୍ତି। ଶ୍ରୀ ପ୍ରଧାନ ହେଉଛନ୍ତି ଓଡ଼ିଶା ‘ଫେସ’। ଓଡ଼ିଶାରେ ବିଜେପି ସଙ୍ଗଠନକୁ ଗଢ଼ିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମୋଦୀଙ୍କ ନୂତନ କ୍ୟାବିନେଟରେ ସେ ତାଙ୍କ ମନ୍ତ୍ରୀ ପଦ ବଜାୟ ରଖିବା ସହ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଶକ୍ତିଶାଳୀ ମନ୍ତ୍ରାଳୟ ପାଇଛନ୍ତି। ଓଡ଼ିଶା ବିଧାନସଭା ନିର୍ବାଚନ ସମୟରେ ଲୋକଙ୍କୁ ଦାମୀ ଲୁଣ ଓ ଚାଉଳ ସାଧାରଣ ବଣ୍ଟନରେ ଦିଆଯିବ ବୋଲି ଘୋଷଣା କରିଥିଲେ। ଧର୍ମେନ୍ଦ୍ରଙ୍କ ଉକ୍ତ ଘୋଷଣା ଓଡ଼ିଶାରେ ବିଜେପିକୁ ପ୍ରମୁଖ ବିରୋଧୀ ଦଳ ଭାବେ ଆଣିବାରେ ସହାୟକ ହେଲା ବୋଲି କୁହାଯାଇଛି। ଓଡ଼ିଶାରେ ବିଜେପି କିପରି କ୍ଷମତାକୁ ଆସିବ ସେ ଦିଗରେ ଧର୍ମେନ୍ଦ୍ର ଉଦ୍ୟମ ଜାରି ରତ୍କଛନ୍ତି। ଏହି ସବୁ କାରଣ ପାଇଁ ଧର୍ମେନ୍ଦ୍ରଙ୍କୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ବଛ।। ଯାଇଛି।

ଦେଶରେ ୧୦୦ଜଣ ଶକ୍ତିଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ଆଉ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପ୍ରଧାନମନ୍ତ୍ରୀଙ୍କ ସଚିବ ପ୍ରମୋଦ କୁମାର ମିଶ୍ର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ।