ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ନବଦାସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚାଷୀଙ୍କ ଧାନ ବିକ୍ରିକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଝାରସୁଗୁଡା ଜିଲ୍ଲାରେ ଚାଷୀଙ୍କ ପାଖରେ ଧାନ ଓ ଟୋକନ ଥିବା ସତ୍ତେ୍ୱ ସମବାୟ ସମିତିଗୁଡିକରେ ଧାନ କ୍ରୟର ଟାର୍ଗେଟ ଶେଷ ହୋଇସାରିଛି। ଫଳରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଚାଷୀଙ୍କର ଧାନ କିଣିବା ପାଇଁ ଶୀଘ୍ର ବ୍ୟବସ୍ଥା କରାଗଲେ ଚାଷୀକୂଳ ଉପକୃତ ହୋଇ ପାରିବେ। ସେହିପରି ବିଧାୟକ ଶ୍ରୀ ମହାନ୍ତି ଉପାନ୍ତ ଅଞ୍ଚଳରେ ଚାଷୀମାନେ ଧାନ ବିକ୍ରି କରି ନପାରି କରୁଥିବା ଆନ୍ଦୋଳନ ତଥା ସେମାନଙ୍କ ସମସ୍ୟା ବିଷୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଅବଗତ କରାଇ ସମବାୟ ସମିତିରେ ଟାର୍ଗେଟ ବୃଦ୍ଧି ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ମଧ୍ୟ ନବ ଓ କିଶୋରଙ୍କୁ ସରକାରଙ୍କ ନିୟମ ଅନୁସାରେ ଚାଷୀଙ୍କ ଧାନ କ୍ରୟ କରିବାର ବ୍ୟବସ୍ଥା କରାଯିବାସହ ତାଙ୍କର ସମସ୍ତ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଆଯିବ କହିଛନ୍ତି ।