୪ ଟି ପୋଲ ଓ ମୋଟୁ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ସାଂସଦଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ମାଲକାନଗିରି,ଏନ୍ଏନ୍ଏସ୍ : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ମାଲକାନଗିରି ଜିଲ୍ଲାର ମାଲକାନଗିରି-କାଲିମେଳା ଜାତୀୟ ରାଜପଥରେ ୪ ଟି ଉଚ୍ଚ ସମ୍ପନ୍ନ ପୋଲ ଓ ମୋଟୁସ୍ଥିତ ସିଲେରୁ ନଦୀରେ ନିର୍ମିତ ପୋଲିକୁ ସଂଯୋଗ ପାଇଁ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼ଗରୀଙ୍କୁ ଆଜି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ବିଜୟୱାଡ଼ା-ରାଂଚି କରିଡରର ମୋଟୁସ୍ଥିତ ସିଲେରୁ ନଦୀରେ ଆନ୍ଧ୍ର ସରକାର ଏକ ପୋଲି ନିର୍ମାଣ କରିଥିବା ବେଳେ ଏହାକୁ ସଂଯୋଗ ପାଇଁ ୩୩୫ ମିଟର ଆପ୍ରୋଚ ରାସ୍ତା ଶୀଘ୍ର ନିର୍ମାଣ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡଗରୀଙ୍କୁ ସାଂସଦ ଶ୍ରୀ ମାଝି ଅନୁରୋଧ କରିଛନ୍ତି। ଏଥିସହ ମାଲକାନଗିରି ଠାରୁ କାଲିମେଳା ମଧ୍ୟରେ ପୂର୍ବରୁ ନିର୍ମିତ ପୋଲର ଉଚ୍ଚତା କମ ଥିବାରୁ ବର୍ଷା ଦିନେ ଏହି ୪ ଟି ପୋଲ ଉପର ଦେଇ ଜବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଜିଲ୍ଲାର ମାଲକାନଗିରିଠାରୁ କାଲିମେଳା ମଧ୍ୟରେ ଥିବା ଏମ.ଭି-୬୪ ଗ୍ରାମଠାରୁ କାଙ୍ଗୁରୁକୋଣ୍ଡା ଗ୍ରାମ, ପୋଟେରୁ ଗ୍ରାମଠାରୁ ଏମ.ଭି-୬୪ ଗ୍ରାମ, ଏମ.ଭି-୯୦ ଗ୍ରାମଠାରୁ ଏମ.ଭି-୧୨୬ ଗ୍ରାମ ଓ ଏମ.ଭି-୭୨ ଗ୍ରାମଠାରୁ ଏମ.ଭି-୯୬ ଗ୍ରାମ ମଧ୍ୟରେ ଥିବା ନାଳ ଉପରେ ଅଧିକ ଉଚ୍ଚତା ବିଶିଷ୍ଟ ପୋଲ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି। ତେବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡଗରୀ ଶୀଘ୍ର ଏହି ରାସ୍ତା ଓ ପୋଲ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଂସଦ ଶ୍ରୀ ମାଝିଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି।