ନବରଙ୍ଗପୁର,ଏନ୍ଏନ୍ଏସ୍: ସାରା ରାଜ୍ୟର ଆଇନଜୀବୀମାନେ ବିଭିନ୍ନ ସମୟରେ ହାଇକୋର୍ଟ ବେଞ୍ଚ ଓ ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ଯୋଗୁ ଗତ ନଭେମ୍ବର ୨୮ରେ ସୁପ୍ରିମକୋର୍ଟ ସମ୍ବଲପୁର ବାର୍ ସହ ଅନ୍ୟ ୩ଟି ବାର୍ ଆସୋସିଏସନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦ ହାଇକୋର୍ଟରେ ଆନ୍ଦୋଳନକାରୀ ଆଇନଜୀବୀଙ୍କ ବିରୋଧରେ ସତ୍ୟପାଠ ଦାଖଲ କରିଥିବା ଯୋଗୁ ଆଜି ସାରା ରାଜ୍ୟର ଆଇନଜୀବୀ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଆଇନଜୀବୀମାନେ ଜିଲ୍ଲା କୋର୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ । ସମସ୍ତ ଆଇନଜୀବୀ କଳା ବ୍ୟାଜ ପରିଧାନ କରିଥିଲେ । ଗତ ଡିସେମ୍ବର ୪ରେ ଭୁବନେଶ୍ୱର ବାର୍ ଆସୋସିଏସନରେ ରାଜ୍ୟର ସମସ୍ତ ଆଇନଜୀବୀ ସଂଘ ସଭାପତି ଓ ସମ୍ପାଦକ ସମ୍ମିଳନୀରେ ଗୃହୀତ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଏହି ଧାରଣା ଦିଆଯାଇଥିଲା । ଆଗାମୀ ଦିନରେ ରାଜ୍ୟ ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପସଭାପତି ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ବିରେନ୍ଦ୍ର କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ରବୀନ୍ଦ୍ର ଜଗନ୍ନାଥ ନାୟକଙ୍କ ସମେତ ଶତାଧିକ ଆଇନଜୀବୀ ଯୋଗ ଦେଇଥିଲେ ।