ଖୋର୍ଦ୍ଧା,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ପୌରାଞ୍ଚଳ ସମେତ ବାଣପୁର ବ୍ଲକରୁ ମୋଟ ୩ ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସେହିପରି ଶୁକ୍ରବାର କରୋନା ତାଲିକାରେ ଯୋଡି ହୋଇଛି ଖୋର୍ଦ୍ଧା ସହର। ୬ ନମ୍ବର ୱାର୍ଡ ଅନ୍ତର୍ଗତ ନବିନାବାଗ ଅଞ୍ଚଳର ଜଣେ ଚିହ୍ନଟ ହୋଇଛନ୍ତି। ସେ ପଶ୍ଚିମବଙ୍ଗରୁ ଫେରି ଘରେ ସଂଘରୋଧ ଥିଲେ। ସେହିପରି ବାଣପୁରରୁ ଚିହ୍ନଟ ବ୍ୟକ୍ତି କ୍ୱାରେଣ୍ଟାଇନ ସେଣ୍ଟରର ବୋଲି ଜଣାପଡିଛି। ସେମାନେ ସୁରତ ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ ମେଡିକାଲକୁ ପଠାଯାଇଛି।
ଅନ୍ୟପଟେ ଜିଲ୍ଲାପାଳ ଶିତାଂଶୁ ରାଉତ ନବିନାବାଗ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରିଛନ୍ତି। ଉକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ଏହି ଅଞ୍ଚଳରୁ କେହି ବି ବାହାରକୁ ଯାଇ ପାରିବେ ନାହିଁ। ପୌର ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ। ଉକ୍ତ ଅଞ୍ଚଳର ଲୋକଙ୍କ ସ୍ୱୀସ୍ଥ୍ୟ ପରୀକ୍ଷା ଲାଗି ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ରାଉତ କହିଛନ୍ତି। ଏଥିସହ ଅଞ୍ଚଳର ତଦାରଖ ପାଇଁ ପୌର ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ଏଡିଏମଓ(ପରିବାର କଲ୍ୟାଣ) ଏବଂ ସିଡିଏମଓ ବିଶ୍ୱ ରଞ୍ଜନ ପତି ଦାୟିତ୍ୱରେ ରହିଛନ୍ତି। ଖୁବଶୀଘ୍ର ଉକ୍ତ ଅଞ୍ଚଳକୁ ସିଲ କରାଯିବା ସହ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ବିଶୋଧନ କରିଯିବ ବୋଲି ପୌର ନିର୍ବାହୀ ଶତପଥୀ କହିଛନ୍ତି।