୨୦୨୪ ନିର୍ବାଚନରେ ପ୍ରାର୍ଥୀ ଦେବ ନବ ନିର୍ମାଣ କୃଷକ ସଂଗଠନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପ୍ରାଇସ, ପ୍ରେସ୍ଟିଜ ଓ ପେନସନ ଲଢ଼େଇରେ ସରକାର ମାଡ଼ ମାରୁଛନ୍ତି । ଦିଲ୍ଲୀରେ ୪ ଲକ୍ଷ ଚାଷୀ ଦେଢ଼ ବର୍ଷ ରାଜରାସ୍ତାରେ ବସିବା ସହ ୭୦୦ ଚାଷୀ ସହିଦ ହେବା ସତ୍ୱେ ଏମଏସପି ବୃଦ୍ଧି ହେଲା ନାହିଁ । ସେଥିପାଇଁ ଚାଷୀ ସରକାର ଗଠନ ଲକ୍ଷ୍ୟରେ ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭା ଓ ଲୋକସଭା ଆସନରେ ନବ ନିର୍ମାଣ କୃଷକ ସଂଗଠନ ପ୍ରାର୍ଥୀ ଦେବ । ନବ ନିର୍ମାଣ କୃଷକ ସଂଗଠନ ଲୋକ ସମ୍ପର୍କ ଯାତ୍ରାର ଦେବଗଡ଼ ଗସ୍ତରେ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଚାଷୀ ସରକାର ଗଠନ ଲକ୍ଷ୍ୟରେ ସଂଗଠନ ନିଷ୍ପତ୍ତି ନେବା ସହ ୮ ତାରିଖ ପରେ ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ କରିବା ସମ୍ପର୍କରେ ସଂଯୋଜକ କହିଛନ୍ତି । ଧାମନଗର ଉପନିର୍ବାଚନରେ ନବ ନିର୍ମାଣ କୃଷକ ସଂଗଠନ କାରଣରୁ ବିଜେପି ବିଜୟ ଟିକା ଲଗାଇଥିବା କହିବା ସହ ପଦ୍ମପୁର ଓ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସଂଗଠନ ପ୍ରସ୍ତୁତି କରିନଥିବା ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ଉମାକାନ୍ତ ରାଉତ, ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନ୍ୱୱାର ଅଲ୍ଲୀ ଓ ଦେବଗଡ଼ ଜିଲ୍ଲା ସଂଯୋଜକ ଚକ୍ରାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।