କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ଚିଠି: ୯୫:୫ ଅନୁପାତରେ ଟିକା ଦିଅ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜୁନ ୨୧ ଠାରୁ ସାରା ଦେଶରେ ନୂଆ ଟିକାକରଣ ନିୟମ ଲାଗୁ ହୋଇଛି। ଏହିକ୍ରମରେ ଟିକା କମ୍ପାନୀଠାରୁ ୭୫ ପ୍ରତିଶତ ଟିକା କିଣି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇ ଦେଉଛନ୍ତି। ବଳକା ୨୫ ପ୍ରତିଶତ ଟିକା କମ୍ପାନୀମାନେ ଘରୋଇ ହସ୍ପିଟାଲକୁ ବିକ୍ରି କରିପାରିବେ। ତେବେ ଓଡ଼ିଶାରେ ଲୋକଙ୍କ ସଂଖ୍ୟା ତୁଳନାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍। ସେମାନେ କମ୍ପାନୀମାନଙ୍କ ଠାରୁ କମ୍ ଟିକା କିଣୁଛନ୍ତି। ଏଣୁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ୯୫ ପ୍ରତିଶତ ଟିକା ପ୍ରଦାନ କରି ଘରୋଇ ହସ୍ପିଟାଲ ପାଇଁ ୫ ପ୍ରତିଶତ ରଖନ୍ତୁ ବୋଲି ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠିଲେଖି ନିବେଦନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ।

ଏହି ଚିଠିରେ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ଟି ଘରୋଇ ହସ୍ପିଟାଲ କମ୍ପାନୀଠାରୁ ଟିକା ପାଇଛନ୍ତି। ରାଜ୍ୟର ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ ଅଛି। ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରରେ ଏମାନଙ୍କ ଯୋଗଦାନ ମାତ୍ର ୫ ପ୍ରତିଶତ। ଏଥିରୁ ଆଶଙ୍କା କରାଯାଉଛି ଯେ ପ୍ରଚଳିତ ଗାଇଡଲାଇନ୍ ଅନୁସାରେ ରାଜ୍ୟ ତା’ର ୨୫% ଟିକା ଅନୁଦାନକୁ ହରାଇବ। ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୁନ ୧୪ ତାରିଖରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ମଧ୍ୟ ଅବଗତ କରିସାରିଛନ୍ତି। ବର୍ତ୍ତମାନର ୭୫:୨୫ ଅନୁପାତକୁ ପରିବର୍ତ୍ତନ କରି ୯୫:୫ କରାଗଲେ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକ ଆନୁପାତିକ ହାରରେ ଆବଶ୍ୟକୀୟ ଟିକା କିଣିପାରିବେ ବୋଲି ଶ୍ରୀ ଦାସ ଲେଖିଛନ୍ତି। ଏଥିସହ ସେ ଜଣାଇଛନ୍ତି ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜୁନ ୨୧ ତାରିଖ ଠାରୁ ଦୈନିକ ତିନି ଲକ୍ଷ ହିତାଧିକାରୀଙ୍କୁ ଟିକା ଦେଇଆସୁଛନ୍ତି। ଏହାଫଳରେ ରାଜ୍ୟରେ ଶତ ପ୍ରତିଶତ ଟିକାଦାନର ଲକ୍ଷ୍ୟ ପୂରଣ ହୋଇପାରିବ। ଏଣୁ ଟିକା ଯୋଗାଣ ନିୟମରେ ପରିବର୍ତ୍ତନ ଲାଗି ବିହିତ ପଦକ୍ଷେପ ନେବାକୁ ସେ ଡା ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି।