ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ମୋ ବିଦ୍ୟୁତ’ ଆପର ଲୋକାର୍ପଣ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଦ୍ୟୁତ ଉପଭୋକ୍ତା ସେବା ପୋର୍ଟାଲ୍ ‘ମୋ ବିଦ୍ୟୁତ’ ଓ ମୋବାଇଲ ଆପର ଲୋକାର୍ପଣ କରିଛନ୍ତି । ୫-ଟି ଅଧୀନରେ ଆରମ୍ଭ କରାଯାଇଥିବା ଏହି ଆପ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବା ଯଥା ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ, ବିଲ ପୈଠ, ବିଦ୍ୟୁତ ସେବା ସମ୍ପର୍କିତ ଅଭିଯୋଗ କରିପାରିବେ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫‘ଟି’ ଅଧୀନରେ ଏହା ଆଉ ଏକ ପରିବର୍ତ୍ତନକାରୀ ପଦକ୍ଷେପ । ଏଣିକି ରାଜ୍ୟର ଜନସାଧାରଣ ଏହି ମୋବାଇଲ ଆପ ମାଧ୍ୟମରେ ଏକ ଦକ୍ଷ, ସମୟଭତ୍ତିକ ଓ ସ୍ୱଚ୍ଛ ଅନଲାଇନ ସେବା ପାଇପାରିବେ।  ବିଦ୍ୟୁତ୍ ସେବା ଏଣିକି ‘ମୋ ସରକାର’ ଅଧୀନରେ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି। ମନ୍ତ୍ରୀ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ଗ୍ରାହକଙ୍କ ସଂପର୍କରେ ରହି ସେମାନଙ୍କଠାରୁ ମତାମତ ସଂଗ୍ରହ କରିବେ ଏବଂ ଏହି ସେବାକୁ ‘ମୋ ସରକାର’ ଅଧୀନରେ ତଦାରଖ କରାଯିବ ।

ମୁଖ୍ୟମନ୍ତ୍ରୀ ‘ମୋ ବିଦ୍ୟୁତ୍’ ଏକ ସମନ୍ୱିତ ଦ୍ୱିଭାଷୀ ଅନଲାଇନ ବିଦ୍ୟୁତ ଉପଭୋକ୍ତା ସେବା ବୋଲି ସୂଚନା ଦେଇ କହିଲେ ଯେ ଏହା ଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଉପଭୋକ୍ତା ଓ ଜନସାଧାରଣ ସେମାନଙ୍କର ବିଦ୍ୟୁତ ସେବା ସଂପର୍କିତ ସମସ୍ୟାଗୁଡ଼ିକର ସରଳ, ସହଜ ଓ ତ୍ୱରିତ ସମାଧାନ ପାଇବା ପାଇଁ ଏହି ଅନଲାଇନ ସେବା ବ୍ୟବସ୍ଥାକୁ ଉପଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଉପଭୋକ୍ତାମାନଙ୍କୁ ସୁବିଧା ଦେବା ପାଇଁ ବିକଶିତ କରାଯାଇଥିବା ଏହି ମୋବାଇଲ ଆପ ଖୁବଶୀଘ୍ର ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।

ଜନସାଧାରଣଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ପାଇଁ ଶକ୍ତି ବିଭାଗ ଏହି ପରି ଅଧିକ ଫଳପ୍ରଦ ବ୍ୟବସ୍ଥା କାର୍ଯ୍ୟକାରୀ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଥିରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଗ୍ରୀଡ଼କୋର ଅଧ୍ୟକ୍ଷ ଡ. ସୌରଭ ଗର୍ଗ ଓ ଶକ୍ତି ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ୫‘ଟି’ ସଚିବ ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।