ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତବର୍ଷ ତୁଳନାରେ ରାଜ୍ୟରେ ୪.୫ ପ୍ରତିଶତ ଦୁର୍ଘଟଣା ହ୍ରାସ ହୋଇଛି। ଦୁର୍ଘଟଣାରେ ମୃତ୍ୟୁହାର ୧୨ପ୍ରତିଶତ କମିଛି। ବିଶେଷକରି ନୂଆ ମୋଟରଯାନ ଆଇନ ଲାଗୁ କରାଯିବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି। ସଡ଼କ ସୁରକ୍ଷା ନେଇ ରାଜଧାନୀର ଲୋକସେବା ଭବନରେ ଆଜି ବସିଥିବା ରାଜ୍ୟ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରୁ ଏନେଇ ସୂଚନା ମିଳିଛି।
ଜାତୀୟ ହାରଠାରୁ ରାଜ୍ୟରେ ଦୁର୍ଘଟଣା ହାର ଅଧିକ ରହିଥିବାରୁ ହାଇକୋର୍ଟ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ଆଇନକୁ କଡ଼ାକଡ଼ି ଲାଗୁ କରାଯାଇଥିବାରୁ ଏଥିରେ ସୁଧାର ଅଣା ଯାଇପାରିଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି। ସେହିପରି ପୂର୍ବରୁ କେବଳ କଟକ ଓ ଭୁବନେଶ୍ୱରର କେତେକ ଘରୋଇ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା। ଏବେ ସେହି ସେବା ସମ୍ବଲପୁର ଓ ଝାରସୁଗୁଡ଼ାରେ ଯୋଗାଇ ଦିଆଯିବ ।
ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ପୂର୍ବବର୍ଷ ଅପେକ୍ଷା ୧୨ ପ୍ରତିଶତ କମିଥିବା ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ସୂଚନା ଦିଆଯାଇଛି। ଏହି ବୈଠକରୁ ଆହୁରି ସୂଚନା ମିଳିଛି ଯେ, ରାଜ୍ୟର ବୌଦ୍ଧ, ରାୟଗଡ଼ା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ଆଦି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଦୁର୍ଘଟଣା ହେଉଛି। ୨୦୧୮ ମସିହାରେ ସମଗ୍ର ଭାରତରେ ୧.୫୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି।
ପ୍ରତି ଘଣ୍ଟାରେ ସମଗ୍ର ଦେଶରେ ୧୭ ଜଣ ଲୋକଙ୍କ ଜୀବନ ଯାଉଛି। ଗତ ଦଶନ୍ଧିରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣ ଲୋକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ଓଡ଼ିଶାରେ ୫,୩୧୫ ଲୋକଙ୍କ ମୃତ୍ୟୁହୋଇଛି। ଦୁର୍ଘଟଣାରେ ୫ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି। ସମଗ୍ର ଦେଶରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଓଡ଼ିଶାରେ ଏହାର ହାର ରହିଛି ୪୭।
୨୦୧୪ ରୁ ୨୦୧୮ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁହାର ୩୫.୨ ପ୍ରତିଶତ ବଢ଼ିଛି । ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪,୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୮ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି ଓ ୭୫୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି। ସଂଶୋଧିତ ମୋଟରଯାନ ଆଇନ ସାରାରାଜ୍ୟରେ ୧ ସେପ୍ଟେମ୍ବରରୁ ଲାଗୁ କରାଯାଇଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ଆର୍ଟିଓ ଅଫିସ ବାହାରେ ଅନେକ କ୍ୟାମ୍ପ ଖୋଲାଯାଇଛି।
ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଆପାତତଃ ୫ ଲକ୍ଷ ଲର୍ଣ୍ଣିଂ ଲାଇସେନ୍ପ ପ୍ରଦାନ କରାଯାଇଛି। ପ୍ରାୟ ୯୦୦ଟି ପଲ୍ୟୁସନ ଟେଷ୍ଟିଂ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏହାଦ୍ୱାରା ୧୦ ଲକ୍ଷ ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ ପ୍ରଦାନ କରାଯାଇଛି।
ତେବେ ଆଗାମୀ ଦିନରେ ଦୁର୍ଘଟଣା କମିବା ନେଇ ସମସ୍ତ ଉଦ୍ୟମ ଜାରି ରହିବ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ମଦ୍ୟପ ଗାଡ଼ି ଚାଳନା ଉପରେ ଫୋକସ୍ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନେକ ଲୋକ ଟ୍ରେନିଂ ନନେଇ ଗାଡ଼ି ଚଲାଉଥିବା ନଜରକୁ ଆସିଛି। ଉଭୟ ପୁଲିସ ଓ ପରିବହନ ବିଭାଗ ଫାଇନ ଆଦାୟ କରିପାରିବେ।
ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏବେ ଗ୍ରାମାଞ୍ଚଳରେ କଡ଼ାକଡ଼ି ଚେକିଂ କରାଯିବ। ୩ ମାସ ଅବଧି ସରିଲା ପରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି କଡ଼ା ଚେକିଂ କରାଯିବ। ମାର୍ଚ୍ଚ ମାସ ସୁଦ୍ଧା ଜାତୀୟ ରାଜପଥର ସମସ୍ତ ବ୍ଲାକ୍ସ୍ପଟ ଚିହ୍ନଟ ସହ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ।