ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡରେ ଜଣେ ମୁସଲମାନ ସମ୍ପ୍ରଦାୟର କଂଗ୍ରେସ ବିଧାୟକ ହିନ୍ଦୁ ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଇର୍ଫାନ ଆନସାରୀ ନାମକ ଏହି ବିଧାୟକ ବୁଧବାର ଦେଓଘର ଜିଲ୍ଲା ଅନ୍ତର୍ଗତ ବାବା ବୈଦ୍ୟନାଥ ଧାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଆପତ୍ତି ଜଣାଇଛନ୍ତି। ଇର୍ଫାନ ଏଭଳି କାର୍ଯ୍ୟ କରି ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ମନୋଭାବ ପ୍ରତି ଆଘାତ ପହଞ୍ଚାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଇର୍ଫାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୁବେ ଦାବି କରିଛନ୍ତି। ଦୁବେ ଏହି ମର୍ମରେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିବା ସହ ନିର୍ବାଚନ କମିଶନଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି। ଯଦି ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ସେ ବାଧ୍ୟହୋଇ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ଦୁବେ ଧମକ ଦେଇଛନ୍ତି।