ହିନ୍ଦୀ ଫିଲ୍ମରେ ପ୍ରେମ୍ ଆନନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆ ହିନ୍ଦୀ ଚଳଚ୍ଚିତ୍ର ‘ଲଭ ୟୁ ଟର୍ଣ୍ଣ’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ପାଇଛନ୍ତି ଓଲିଉଡର ମ୍ୟୁଜିକ୍ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ବେଶ୍ ଲୋକପ୍ରିୟତା ଲାଭ କରିଛନ୍ତି ସେ। ଓଲିଉଡରେ ସଫଳ ହେବା ପରେ ତାଙ୍କୁ ସୁଯୋଗ ମିଳିଛି ହିନ୍ଦୀ ସିନେଜଗତରେ। ‘ଲଭ ୟୁ ଟର୍ଣ୍ଣ’ ନଭେମ୍ବର ୨୨ ତାରିଖରେ ମୁକ୍ତିଲାଭ କରିବ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ରୁସ୍ଲାନ ମମତାଜ୍, ପୂର୍ବା ରାନା, ଆଧ୍ୱିକ ମହାଜନ ଓ ରୁହି ଚତୁର୍ବେଦୀ। ସନ୍ଦୀପ ବର୍ମା ଓ ଆନନ୍ଦ ଠାକୁରଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ହରିଶ ରାଉତ। ସହ-ପ୍ରଯୋଜନାରେ ଅଛନ୍ତି ନିରଜ ନାଏକ ଓ ଧର୍ମେଶ ନାଏକ। ପ୍ରେମ୍ ଆନନ୍ଦଙ୍କ ସହ ସଙ୍ଗୀତ ନିର୍ଦ୍ଦେଶନାରେ ଆଉ ଦୁଇଜଣ ଅଛନ୍ତି। ସେମାନେ ହେଲେ ହୀତେଶ ମୋଦକ ଓ ପୁନୀତ ଦୀକ୍ଷିତ। ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଅର୍ଚ୍ଚନା ଶର୍ମା। ୪ ତାରିଖରେ ମୁମ୍ବାଇରେ ଏହି ଫିଲ୍ମର ଅଡିଓ ରିଲିଜ୍ ଉତ୍ସବ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରେମ୍ ଆନନ୍ଦ ହିନ୍ଦୀ ଫିଲ୍ମ ‘ଦେଖ୍ ଭାଇ ଦେଖ୍’ର ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାକୁ ଆସିଥିଲେ। ଓଡ଼ିଆ ଫିଲ୍ମ ଭଳି ହିନ୍ଦୀ ଫିଲ୍ମ ସଙ୍ଗୀତପ୍ରେମୀ ମଧ୍ୟ ତାଙ୍କ ସଙ୍ଗୀତକୁ ପସନ୍ଦ କରିବେ ବୋଲି ଆଶା କରିଛନ୍ତି ପ୍ରେମ୍ ଆନନ୍ଦ।