ମୁଶରଫଙ୍କ ପ୍ରତି ଦଣ୍ଡାଦେଶ କରିଥିବା ବିଚାରପତି ହଟିବେ

ଇସଲାମାବାଦ, ଏଜେନ୍ସି : ରୁଗଣ ମାନସିକତା କାରଣ ଦର୍ଶାଇ ପାକ୍ ସରକାର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ପ୍ରତି ଦଣ୍ଡ ବିଧାନ କରିଥିବା ବିଚାରପତିଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଦଣ୍ଡାଦେଶ ପୂର୍ବରୁ ମୁଶରଫଙ୍କର ମୃତ୍ୟୁ ଘଟିଲେ, ତାଙ୍କ ମରଶରୀରକୁ ସଂସଦ ନିକଟକୁ ଆଣି ୩ ଦିନ ଧରି ଝୁଲାଇ ଦିଆଯିବା ସମ୍ପର୍କିତ ରାୟରେ ପାକ୍ ସରକାର ଭୀଷଣ ରାଗି ଯାଇଛନ୍ତି। ଗୁରୁବାର ପେଶାୱର ହାଇକୋର୍ଟର ମୁଖ୍ୟ ବିଚାରପତି ୱାକର ଅହମଦ ସେଠ ଏହି ଦଣ୍ଡାଦେଶ କରିଥିଲେ।

ମୁଶରଫଙ୍କ ଦେଶଦ୍ରୋହ ମାମଲାର ବିଚାର କରିଥିଲେ ମୁଖ୍ୟ ବିଚାରପତି ସେଠଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର କୋର୍ଟ। ପାକିସ୍ତାନର ଡି-ଚୌକ ଅଞ୍ଚଳରେ ସବୁ ଗୁରୁତ୍ୱପୂର୍ଣ୍ଣ ଅଫିସଗୁଡ଼ିକ ଅଛି। ସେଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତିଙ୍କ ନିବାସ, ପ୍ରଧାନମନ୍ତ୍ରୀଙ୍କ ଅଫିସ, ସଂସଦ ଓ ସୁପ୍ରିମକୋର୍ଟ ପ୍ରଧାନ। ମୁଶରଫଙ୍କ ପ୍ରତି ମୃତ୍ୟୁ ଦଣ୍ଡାଦେଶର ବିସ୍ତୃତ ବିବରଣୀ ପ୍ରକାଶ ପାଇବା ପରେପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଆଇନ ବିଶେଷଜ୍ଞ ମଣ୍ଡଳୀଙ୍କ ଜରୁରି ବୈଠକ କରିଥିଲେ। ପରେ ସାମ୍ବାଦିକ ସମ୍ମିଳନୀ ଡକାଇ ଘନିଷ୍ଠ ସହକର୍ମୀଙ୍କ ଗହଣରେ ବସି ବିଚାରପତି ସେଠଙ୍କ ବିରୋଧରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଜଣାଇଥିଲେ। ପାକ ଆଇନମନ୍ତ୍ରୀ ଫାରୁଗ ନସୀମ କହିଛନ୍ତି ଯେ ବିଚାରପତିଙ୍କ ଦଣ୍ଡାଦେଶରୁ ତାଙ୍କର ରୁଗଣ ମାନସିକତା ବାରି ହୋଇପଡୁଛି।

ପାକିସ୍ତାନର କୌଣସି ଆଇନରେ ଏଭଳି ଦଣ୍ଡ ବିଧାନ କରାଯିବାର ବ୍ୟବସ୍ଥା ନାହିଁ। ବିଚାରପତି ସେଠଙ୍କୁ ହଟାଇବା ପାଇଁ ପାକ୍ ସରକାର ସୁପ୍ରିମ ଜୁଡିସିଆଲ୍ କାଉନସିଲଙ୍କ ଶରଣାପନ୍ନ ହେବେ। ରୁଗଣ ମସ୍ତିଷ୍କଧାରୀ ବିଚାରପତିଙ୍କ ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସ୍ଥାନ ନାହିଁ ବୋଲି ପାକ୍ ସରକାର ରୋକ ଠୋକ୍ କହିଛନ୍ତି। ଏଠାରେ ଜଣାଇ ଦିଆଯାଉଛି ଯେ ହାଇକୋର୍ଟ ଓ ସୁପ୍ରିମକୋର୍ଟର ବିଚାରପତିଙ୍କୁ ହଟାଇବା ପାଇଁ ସୁପ୍ରିମ ଜୁଡିସିଆଲ୍ କାଉନସିଲ ଗଠନ କରାଯାଇଛି। ଖଣ୍ଡପୀଠର ଅନ୍ୟତମ ବିଚାରପତି ଶେହଜାଦ ଆକବରଙ୍କ ମତରେ ପାକ୍ ଆଇନକୁ ଜଳାଞ୍ଜଳି ଦେଇ ମୁଶରଫଙ୍କ ବିରୋଧରେ ରାୟ ପ୍ରକାଶ କରିଛନ୍ତି। ପାକ୍ ସରକାର ବିଚାରପତି ସେଠଙ୍କୁ କେବଳ ଆସନରୁ ହଟାଇଦେଲେ ଚଳିବନି। ମୁଶରଫଙ୍କ ପ୍ରତି ଶାସ୍ତି ବିଧାନକୁ ଉପରକୋର୍ଟରେ ଚାଲେଞ୍ଜ କରାଯିବା ଦରକାର। ଇତିିମଧ୍ୟରେ ପାକ୍ ସେନାଧ୍ୟକ୍ଷ କାମାର ଜାଭେଦ୍ ବାଜୱା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଶରଫଙ୍କ ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କୋର୍ଟଙ୍କ ରାୟରେ କ୍ଷୋଭ ପ୍ରକାଶ କରିଛି ପାକସେନା।