ଗାଁ ଦାଣ୍ଡରେ ସାନ ଭାଇର ଛୁରା ମାଡରେ ବଡ ଭାଇର ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଜୁଆଳିଭଙ୍ଗା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଜଣେ ସାନ ଭାଇର ଛୁରା ମାଡରେ ବଡ ଭାଇର ଶୋଚନୀୟ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁଆଳିଭଙ୍ଗା ଗ୍ରାମର ଘେନ ଶବରଙ୍କ ୨ ପୁଅ ଅସାଢୁ ଶବର ଓ ଧିରେନ ଶବର ମଧ୍ୟରେ ଗତ କିଛିଦିନ ହେବ ପାରିବାରିକ କଳହକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା। ବଡ଼ ଭାଇ ଅସାଢୁ ଅନେକ ସମୟରେ ସାନଭାଇ ଧିରେନକୁ ହତ୍ୟା ଧମକ ଦେଉଥିଲା।

ଏହି କ୍ରମରେ ଗତକାଲି ସନ୍ଧ୍ୟାରେ ପୁଣିଥରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗିଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ବଡ଼ ଭାଇ ଅସାଢୁ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସାନ ଭାଇ ଧିରେନ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ପ୍ରବଳ ରକ୍ତ ଶ୍ରାବ ହୋଇ ଗାଁ ଦାଣ୍ଡରେ ଅସାଢୁଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ରାତ୍ରିରେ ରିଆମାଳ ଥାନା ଅଧିକାରୀ ପ୍ରଦୀପ କେର୍କେଟା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ସାଇଣ୍ଟିଫିକ ଟିମକୁ ସୂଚନା ଦେଇଥିଲେ। ରାତି ସାରା ଘଟଣାସ୍ଥଳରେ ମୃତ ଦେହ ପଡି ରହିବା

ଆଜି ସକାଳୁ ଦେବଗଡ଼ ଏସଡ଼ିପିଓ ସୁଲେମାନ ଏକ୍କା, ଥାନା ଅଧିକାରୀ ଶ୍ରୀ କେର୍କେଟାଙ୍କ ସମେତ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଧିରେନକୁ ପୁଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ଜଣାପଡିଛି।