ଇସ୍ରୋ ବୈଜ୍ଞାନିକଙ୍କୁ ହତ୍ୟା ସନ୍ଦେହ

ହାଇଦ୍ରାବାଦ,ଏଜେନ୍ସି: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଏନଆରଏସିର ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେଲେଙ୍ଗାନାର ସାଦ ନଗରରେ ଥିବା ଏନଆରଏସିରେ କାର୍ଯ୍ୟରତ ବୈଜ୍ଞାନିକ ଏସ୍ ସୁରେଶ(୫୬)ଙ୍କ ମୃତ ଦେହ ବୁଧବାର ଅମିରପେଟ ବାସଭବନରୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ତେବେ ଉଦ୍ଧାର ବେଳକୁ ବହୁ ପୂର୍ବରୁ ତାଙ୍କର ମୃତ ହୋଇଥିବା ଜଣାପଡ଼ିଥିଲା।

ସୂଚନା ଅନୁଯାୟୀ ସୋମବାର ସୁରେଶ ଅମିରପଟେ ବାସଭବନରେ ଥିଲେ। ତେବେ ମଙ୍ଗଳବାର ସେ ଅଫିସ ନଆସିରୁ ତାଙ୍କ ସହକର୍ମୀ ତାଙ୍କୁ ଫୋନ କରିଥିଲେ ହେଲେ କୌଣସି ଉତ୍ତର ପାଇନଥିଲେ। ପରେ ସହକର୍ମୀ ଜଣଙ୍କ ସୁରେଶଙ୍କ ପତ୍ନୀ ଇନ୍ଦିରାଙ୍କୁ ଫୋନ କରିଥିଲେ। ତେବେ ଇନ୍ଦିରା ଚେନ୍ନାଇର ଏକ ବ୍ୟାଙ୍କରେ ଚାକିରି କରୁଥିବା ବେଳ ଖବରପାଇ ସମ୍ପର୍କୀୟଙ୍କ ସହ ହାଇଦ୍ରାବାଦରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘରକୁ ଆସି ଦେଖିବା ବେଳକୁ ସୁରେଶଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ପୁଲିସ ସେଠାରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।