ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ହତ୍ୟାକାଣ୍ଡ!

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ନିକଟସ୍ଥ ହାତିବାଡୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ଜଣେ ୨୦ ବର୍ଷୀୟ ଯୁବକ ନିଜ ସ୍ତ୍ରୀର ତା’ସମ୍ପର୍କୀୟ ମାମୁଁ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହକରି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ମାମୁଁ ଶଶୁରର ହତ୍ୟା କରି ତା’ର କଟାମୁଣ୍ଡ ଧରି ଗାଁରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ ହାତିବାଡୀ ଗ୍ରାମର ଦଶରୁ ଗୌଡ଼ର ୨୦ ବର୍ଷୀୟ ପୁଅ ଡମ୍ବରୁ ଗୌଡ ଏକ ବର୍ଷ ତଳେ କମଳା ଗୌଡକୁ ପ୍ରେମ ବିବାହ କରିଥିଲେ। ତେବେ ବିବାହର କିଛିଦିନ ପରେ କମଳାର ତା ମାମୁଁ ରତନ ଗୌଡ(୩୦) ସହ ଘନିଷ୍ଠତା
ବଢ଼ିଥିଲା। ତେବେ କମଳାର ତା’ମାମୁଁ ସହ ଘନିଷ୍ଠତାକୁ ଡମ୍ବରୁ ସହଜରେ ଗ୍ରହଣ କରିପାରୁନଥିଲା। ଦୁହିଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବାର ଅଭିଯୋଗ କରି ଅନେକ ଥର ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏପରିକି ଗାଁରେ ବର୍ଷକ ମଧ୍ୟରେ ୫ ଥର ବୈଠକ ଡକାଯାଇ ଝଗଡ଼ାର ଆଶୁ ସମାଧାନ କରାଯାଇଥିଲା। ଗତ ଗୁରୁବାର ଦିନ ପୁଣି ଏହି କଥାକୁ ନେଇ ଡମ୍ବରୁ ଓ କମଳା ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କମଳା ନିଜ ଭଉଣୀ ଘରକୁ ଚାଲିଯାଇଥିଲା। ପରେ ଡମ୍ବରୁ ମାମୁଁ ଶଶୁରକୁ ହତ୍ୟା କରିବାର ଯୋଜନା କରିଥିଲା।

ଆଜି ଅପରାହ୍ଣ ୩ଟା ବେଳେ ରତନ ଗୌଡ ଗାଁ’ଠାରୁ ୧୦୦ ମିଟର ଦୂରରେ ଥିବା ନାଳ ନିକଟକୁ ଯାଇ ଗୁଣ୍ଡୁରୁ ଚଢ଼େଇ ଧରିବା ପାଇଁ ଲଗାଇଥିବା ଫାଶ ସଜାଡୁ ଥିଲା। ଏହି ସମୟରେ ରତନ ନଇଁକି କାମ କରୁଥିବାବେଳେ ଡମ୍ବରୁ ଏକ ଟାଙ୍ଗିଆ ଧରି ତାର ବେକକୁ ଚୋଟ ପକାଇଥିଲା। ଫଳରେ ରତନର ମୁଣ୍ଡ ଗଣ୍ଡି ଅଲଗା ହୋଇ ନାଳରେ ପଡ଼ିଥିଲା। ପରେ ଡମ୍ବରୁ ରତନର କଟା ମୁଣ୍ଡକୁ ଧରି ଗାଁ ମଧ୍ୟରେ ବୁଲିଥିଲା। ପରେ ଗାଁ ଲୋକେ ଡମ୍ବରୁକୁ ଥାନାକୁ ଯିବା ପାଇଁ ବୁଝାଇବା ପରେ ସେ କଟା ମୁଣ୍ଡକୁ ଶରୀର ନିକଟରେ ରଖି ଝରିଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲା। ସେହିପରି ଘଟଣା ସମ୍ପର୍କରେ ଜାଣି ଥାନା ଅଧିକାରୀ ଉମେଶ କୁମାର ସାହୁ, ଏସଆଇ ଅଶୋକ କୁମାର ପାଳ ଟିମ ସହ ଘଟଣାସ୍ଥଳକୁ ଯାଇ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଜବତ କରିଛି। ଆଜି ପୁଲିସ କେସ ନମ୍ବର ୧୨୫/୨୦, ଆଇପିସି ଧାରା ୩୦୨ରେ ମାମଲା ରୁଜୁ କରି ଡମ୍ବରୁକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।