ସିଗାରେଟ୍ ବାକି ନଦେବାରୁ ଘରେ ପଶି ହାଣିଲେ

ରକ୍ଷା କରିବାକୁ ଯାଇ ମାଆ, ଭାଇ ଗୁରୁତର

କୁକୁଡାଖଣ୍ଡି,ଦିଗପହଣ୍ଡି,ଏନ୍ଏନ୍ଏସ୍: ପ୍ରଥମେ ଦୋକାନରୁ ବାକିରେ ଖାଇଲେ, ପଇସା ମାଗିବାରୁ ସଂଘବଦ୍ଧ ହୋଇ ଘରେ ପଶି ହତ୍ୟାକଲେ। ଖଣ୍ଡା ଓ ଲୁହାରଡରେ ନିସ୍ତୁକ ପିଟିବା ପରେ ପଥରରେ ଛେଚିଲେ। ରକ୍ଷା କରିବାକୁ ଯାଇଥିବା ଭାଇ ଓ ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି କୁକୁଡାଖଣ୍ଡି ବ୍ଲକ୍ ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆଁ ଅନନ୍ତେଇ ଗ୍ରାମରେ। ହତ୍ୟାର ଶିକାର ହୋଇଛନ୍ତି ଦୁଷ୍ମନ୍ତ ଚୌଧୁରୀ।

ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ଦୁଷ୍ମନ୍ତଙ୍କ ପାନ ଦୋକାନକୁ ଦୁଇ ଜଣ ବ୍ୟକ୍ତି ଯାଇ ପାଣି ଓ ସିଗାରେଟ ମାଗିଥିଲେ। ପଇସା ମାଗିବାରୁ ବାକିରେ ଦେବାକୁ କହିଥିଲେ। ଏହାକୁ ନେଇ ସାମାନ୍ୟ ବସଚା ହୋଇଥିଲା। ପରେ ଦୁଷ୍ମନ୍ତ ଦୋକାନ ବନ୍ଦକରି ଘରକୁ ଚାଲି ଯାଇଥିଲେ। କିଛି ସମୟ ପରେ ବାକି ମାଗିଥିବା ଦୁଇ ଯୁବକ ସହ ୧୦ ଜଣରୁ ଊଦ୍ଧ୍ୱର୍ ବ୍ୟକ୍ତି ଦୁଷ୍ମନ୍ତଙ୍କ ଘର ଭିତରେ ପଶି ଲୁହାରଡ ଓ ଖଣ୍ଡାରେ ଆକ୍ରମଣ କରିବା ସହ ପଥରରେ ଛେଚିଥିଲେ। ଏହା ଦେଖି ଭାଇ ବିକ୍ରମ ଚୌଧୁରୀ ଉଦ୍ଧାର କରିବାକୁ ଆସିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଉଭୟଙ୍କୁ ରକ୍ଷା କରିବାକୁ ଯାଇ ମାଆ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଦୁଇ ଭାଇ ଆହତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ, ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ର୍ମୁମୁ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ମା’ ସାତଭଉଣୀ ମନ୍ଦିର ନିର୍ମାଣ କାମକୁ ନେଇ ଆକ୍ରମଣକାରୀ ଦୃର୍ବୃତ୍ତ ଓ ଦୁଷ୍ମନ୍ତଙ୍କ ମଧ୍ୟରେ ଶତ୍ରୃତା ଲାଗି ରହିଥିଲା। ଦୁଷ୍ମନ୍ତ ଏକ ରାଜନୈତିକ ଦଳର କର୍ମୀ ଥିବା ବେଳେ ଆକ୍ରମଣକାରୀ ଦୁର୍ବୃତ୍ତମାନେ ମଧ୍ୟ ସେହି ଦଳର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଉକ୍ତ ଅଞ୍ଚଳର ଚାଞ୍ଚଡାପଲ୍ଲୀ ଗ୍ରାମରେ ଜଣେ ଯୁବକକୁ ତାସ ଖେଳବେଳେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା।