ଦାମୀ ମୋବାଇଲ୍ ପାଇଁ ଅଧ୍ୟାପକଙ୍କୁ ହତ୍ୟା 

ସମ୍ବଲପୁର,ଏନ୍ଏନ୍ଏସ୍: ମାନେଶ୍ୱର ବ୍ଲକ୍ ଶାସନ ଥାନା ଅନ୍ତର୍ଗତ ମୁରାସ୍ଥିତ ଦ୍ୱାରିକାପ୍ରସାଦ ଅଗ୍ରୱାଲ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ହୃଦାନନ୍ଦ ପ୍ରଧାନ (୪୭)ଙ୍କ ମୃତ୍ୟୁର ୭ ଦିନ ପରେ ପୁଲିସ୍ ଘଟଣା ଉପରୁ ପର୍ଦ୍ଦା ହଟାଇବାରେ ସଫଳ ହୋଇଛି। ଏକ ଦାମୀ ମୋବାଇଲ ପାଇଁ ଅଭିଯୁକ୍ତ ମୁରା ଗ୍ରାମର ଦୁଃଖନାଶନ ବାଗ ଓରଫ ଦୁଃଖ ଓରଫ ରାଜୁ (୨୦) ହୃଦାନନ୍ଦଙ୍କୁ ହତ୍ୟା କରିଛି ବୋଲି ସ୍ୱୀକାର କରିଥିବା ଏସଡିପିଓ ଭବାନୀ ଶଙ୍କର ଉଦ୍ଗାତା ସୂଚନା ଦେଇଛନ୍ତି। ଏଥିସହ ଦୁଃଖନାଶନଠାରୁ ହୃଦାନନ୍ଦଙ୍କ ମୋବାଇଲ୍ ଫୋନ୍ ସେଟ୍ ମଧ୍ୟ ଜବତ ହୋଇଛି। ଦୁଃଖନାଶକକୁ ଗିରଫ କରାଯାଇଥିବା ବେଳେ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀ ଉଦ୍ଗାତା ସୂଚନା ଦେଇଛନ୍ତି।

ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, ଗତ ୫ ତାରିଖ ହୃଦାନନ୍ଦଙ୍କ ଏଲ୍ଆଇସି କରିବାକୁ ଦୁଃଖନାଶନ ହୃଦାନନ୍ଦଙ୍କ କୋଠରିକୁ ଆସିଥିଲା। ସେଠାରେ କଥାବାର୍ତ୍ତା କରିବା ସମୟରେ ହୃଦାନନ୍ଦଙ୍କ ନୂଆ ମୋବାଇଲ ଉପରେ ଦୁଃଖନାଶନର ନଜର ପଡ଼ିଥିଲା।

ରାତି ପ୍ରାୟ ୯ଟାରେ ହୃଦାନନ୍ଦ ଖାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦୁଃଖନାଶନ କୋଠରି ମଧ୍ୟରେ ଥିବା ଏକ ଠେଙ୍ଗାରେ ହୃଦାନନ୍ଦଙ୍କ ମୁଣ୍ଡକୁ ପଛପଟୁ ପ୍ରହାର କରିଥିଲା। ହୃଦାନନ୍ଦ ତଳେ ପଡ଼ିଯିବାପରେ ପୁଣି ତାଙ୍କୁ ବାଡ଼ିରେ ପିଟି ଚାଲିଥିଲା। ହୃଦାନନ୍ଦ ଚେତାଶୂନ୍ୟ ହେବାପରେ ତାଙ୍କ ହାତଗୋଡ଼ ବାନ୍ଧିଦେଇ ପୁଣି ବାଡ଼ିରେ ପିଟିିଥିଲା।

ପରେ ହୃଦାନନ୍ଦଙ୍କ ଗୋଡ଼କୁ ହିଟର ଉପରେ ରଖି କୋଠରି ବାହାରେ ତାଲା ପକାଇ ସେଠାରୁ ଖସି ଯାଇଥିଲା। ହୃଦାନନ୍ଦଙ୍କ ମୋବାଇଲରେ ଦୁଃଖନାଶନ ସିମ୍ ପକାଇବା ପରେ ପୁଲିସ ତାକୁ ଠାବ କରିବା ସହ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲା।