ବିଧବା ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା : ଅଭିଯୁକ୍ତ ଗିରଫ

ସମ୍ବଲପୁର,ଏନ୍ଏନ୍ଏସ୍ : ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ମାର୍କେଟ କମ୍ପେ୍ଲକ୍ସର ଏକ ଦୋକାନ ସମ୍ମୁଖରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା ଓ ତାଙ୍କ ମୃତଦେହ ଉପରେ ବାଲିବସ୍ତା ଲଦି ଚାଲିଯିବା ଘଟଣାରେ ଆଜି ପୋଲିସ ଜଣେ ଯୁବକକୁ ଗିରଫ କରିଛି । ସମ୍ପୃକ୍ତ ଯୁବକର ନାମ ରାଜକୁମାର ସାହାଣୀ (୨୦) ଘର ଅଇଁଠାପାଲି ଥାନା ଅଂଚଳରେ ବୋଲି ଜଣାପଡିଛି । ତେବେ ଅଭିଯୁକ୍ତ କାହିଁକି ତାଙ୍କୁ ହତ୍ୟା କରିଛି ପୋଲିସ ସେନେଇ ଅଧିକ ଛାନଭିନ୍ ଜାରୀ ରଖିଛି ।

ସୂଚନା ଅନୁଯାୟୀ, ଏହି ବିଧବା ମହିଳା ଜଣକ ପେଷାରେ ଜଣେ ଜରି ଗୋଟାଳି ଥିଲେ । ଦିନ ତମାମ ଜରି ଓ ପ୍ଲାଷ୍ଟିକ୍ ସଂଗ୍ରହ କରି ତାକୁ କବାଡ଼ିଆରେ ବିକ୍ରି କରି ସେଥିରୁ ଯେଉଁ ପାରିଶ୍ରମିକ ମିଳେ, ସେଥିରେ ଦୁଃଖେକଷ୍ଟେ ଚଳି ଆସୁଥିଲେ ସେ ଓ ତାଙ୍କର ଏକ ମାତ୍ର କୁନି ଝିଅ । ମହିଳାଙ୍କ ସ୍ୱାମୀ ଗତ କିଛି ଦିନ ପୂର୍ବରୁ ପ୍ରାଣ ହରାଇଛନ୍ତି । ଗତକାଲି ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରୁ ଏକ ରକ୍ତଭିଜା ପଥରକୁ ମଧ୍ୟ ପୋଲିସ ଜବତ କରିଥିଲା । ପାରିପାଶ୍ୱର୍କ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏ ସଂକ୍ରାନ୍ତରେ ଅଇଁଠାପାଲି ଥାନାରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ମାମଲାରେ ଅଭିଯୁକ୍ତ ରାଜକୁମାରର ସମ୍ପୃକ୍ତି ଥିବା ଜାଣିପାରି ପୋଲିସ ତାକୁ ଗିରଫ କରିଛି ।