ଗୁଣି ଗାରେଡ଼ି ସନ୍ଦେହ : ଦମ୍ପତିକୁ ବୀଭତ୍ସ ହତ୍ୟା

ମୋହନା,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ମୋହନା ଥାନା କରର୍ଚ୍ଚବାଡ଼ି ପଞ୍ଚାୟତ ଗପଟିମା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ଓ ସ୍ତ୍ରୀକୁ କେହି ଦୁର୍ବୃତ୍ତ ବିଭତ୍ସ ଭାବେ ହତ୍ୟା କରିଛି। ମୃତକ ଦ୍ୱୟ ହେଲେ ପଟ୍ର ମଲ୍ଲିକ(୪୫) ଓ ତାଙ୍କ ସ୍ତ୍ରୀ ସବିତା (୩୨)। ଉଭୟଙ୍କ କ୍ଷତବିକ୍ଷତ ମୃତଦେହ ଉପରେ ଦୁର୍ବୃତ୍ତମାନେ ଲଙ୍କା ଗୁଣ୍ଡ ପକାଇଛନ୍ତି। ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ବେଳେ ସ୍ୱାମୀ ପଟ୍ରଙ୍କ ଛାତିରେ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରାଯାଇଛି। ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ୨ ଟି ଜବତ କରିବା ସହ ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ସ୍ୱାମୀ ପଟ୍ର ଓ ସବିତା ନିକଟସ୍ଥ କୁଡ଼ିମା ଜଙ୍ଗଲରେ ଥିବା ନିଜ ବଗଡ଼କୁ ଯାଇଥିଲେ। ସେଠାରୁ ଆଉ ଘରକୁ ଫେରି ନଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଜଙ୍ଗଲରେ ପଟ୍ର ଏବଂ ସବିତାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁଣି ସନ୍ଦେହରେ ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମୃତ ପଟ୍ର ଓ ସବିତାଙ୍କ ନାବାଳକ ପୁଅର କହିବାନୁଯାୟୀ ଗତ କିଛିବର୍ଷ ଧରି ଗ୍ରାମରେ ଯେକୌଣସି ଲୋକ ମୃତ୍ୟୁବରଣ କରୁଥିଲା ପଟ୍ର ସେମାନଙ୍କୁ ଗୁଣି କରି ମାରୁଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ଏନେଇ ଗ୍ରାମରେ ବାରମ୍ବାର ବୈଠକ ମଧ୍ୟ ହୋଇଥିଲା ଓ ଗୁଣି ନ କରିବା ପାଇଁ ପଟ୍ରକୁ ତାଗିଦ ମଧ୍ୟ କରାଯାଇଥିଲା। କିନ୍ତୁ ତା’ ପରେ ମଧ୍ୟ କିଛି ଲୋକ ମୃୃତ୍ୟୁବରଣ କରିଥିଲେ।

ତେଣୁ ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାଙ୍କ ବାପା-ମା’ଙ୍କୁ ହତ୍ୟା କରାଯାଇଥିବା ପୁଅ କହିଛି। ଅନ୍ୟ ପଟେ ଗପଟିମା ୱାର୍ଡମେମ୍ବର ଦିଲ୍ଲୀପ ଦଳେଇଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ମୋହନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଆର.ଉଦୟଗିରି ଏସଡ଼ିପିଓ ଅଶୋକ ମହାନ୍ତିଙ୍କ ସହ ଯୋଗାଯୋଗ କରାଯିବାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି। ସାଇଣ୍ଟିଫିକ ଟିମ ୍ ଏବଂ ସନ୍ଧାନି କୁକୁର ସହାୟତାରେ ଘଟଣାର ତଦନ୍ତ କରି ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।