ସମ୍ବଲପୁର,ଏନ୍ଏନ୍ଏସ୍ : ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଅଢାପଡା ଗ୍ରାମରେ ମଂଗଳବାର ବିଳମ୍ବରାତିରେ ରସାନନ୍ଦ ବିରଗଠିଆ ( ୩୫)ଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଗ୍ରାମରଖୀ ଭାବେ କାମ କରୁଥିବା ରସାନନ୍ଦକ ବଡଭାଇ ଘାସିରାମ (୪୫)ଙ୍କ ଘର ସାମ୍ନାରୁ ପୁଲିସ ରସାନନ୍ଦଙ୍କ ରକ୍ତାକ୍ତ ଶବ ଉଦ୍ଧାର କରିଥିବାବେଳେ ଘଟଣାସ୍ଥଳରୁ ରକ୍ତଲଗା ପଥର ଓ ଚୁଡି ଖଣ୍ଡମାନ ପାଇଛି । ଘାସିରାମ ସପରିବାର ଫେରାର ଥିବାରୁ ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ଶବ ବ୍ୟବଚ୍ଛେଦ କରାଇବା ସହ ଘାସିରାମଙ୍କୁ ଧରିବା ସକାଶେ ତନାଘନା ଚଳାଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ କାରଣରୁ ରସାନନ୍ଦଙ୍କ ପତ୍ନୀ ୨ ମାସ ହେଲା ଏକମାତ୍ର ଝିଅକୁ ନିଜ ବାପଘର ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଛନ୍ଦପାଲି ଗ୍ରାମରେ ରହୁଛନ୍ତି । ଭାଇବୋହୂ ହେବା ସହ ଦୂର ସମ୍ପର୍କୀୟ ଶାଳୀ ହୋଇଥିବାରୁ ଘାସିରାମ ଓ ତାଙ୍କ ପତ୍ନୀଙ୍କ ସହ ରସାନନ୍ଦଙ୍କ ପତ୍ନୀ ଯୋଗାଯୋଗ ରଖିଥିଲେ ଏବଂ ସ୍ୱାମୀ ଭଲମନ୍ଦ ପଚରାଉଚୁରା କରୁଥିଲେ କିନ୍ତୁ ରସାନନ୍ଦଙ୍କ ଫୋନ ଉଠାଉନଥିଲେ । ସେଥି ପାଇଁ ରସାନନ୍ଦ ବଡଭାଇ ଘାସିରାମ ଓ ଭାଉଜଙ୍କୁ ପତ୍ନୀ ସହ ବିବାଦର ସମାଧାନ କରାଇଦେବାକୁ କହୁଥିଲେ । ଏପରିକି ରସାନନ୍ଦ ବଡଭାଇ ଓ ଭାଉଜଙ୍କ ସହ ଝଗଡା କରୁଥିଲେ । ୪ ଦିନ ତଳେ ଘାସିରାମ ଏ ନେଇ ଥାନାରେ ଜଣାଇଥିଲେ । ମଙ୍ଗଳବାର ବିଳମ୍ବରାତିରେ ୨ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂତ୍ରରୁ କୁହାଯାଇଛି ।