ସମ୍ବଲପୁର,ଏନ୍ଏନ୍ଏସ୍ : ଗାଁ’ ଦାଣ୍ଡରେ ଯୁବକଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା, ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଟାମ୍ପରଗଡ଼ ପଞ୍ଚାୟତ ଅନ୍ତର୍ଗତ ବେହେରାମାଲ ଗ୍ରାମର ତଲିମାଲରେ ଘଟିଛି। ବୁଧବାର ସନ୍ଧ୍ୟାରେ ଟାଙ୍ଗିଆ ଆକ୍ରମଣରେ ଆମୁଷ ମୁଣ୍ଡାଙ୍କ ପୁଅ ବିଲାସନ ଓରଫ ପୁଚୁ ମୁଣ୍ଡା (୨୨)ଙ୍କ ମୃତ୍ୟୁ ହୋଇଛି। ପୁଚୁଙ୍କୁ ତାଙ୍କ ଘର ସାମ୍ନାରେ ମାମୁଁ ପୁଅ ଭାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ଯୁଯୁମୁରା ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଆଜି ପୁଲିସ ପୁଚୁଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁଇ ପରିବାର ମଧ୍ୟରେ ଜମି ବିବାଦରୁ ଏହି ହତ୍ୟା କାଣ୍ଡ ଘଟିଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନାବାଳକଙ୍କ ବଡ଼ ଭାଇ ପ୍ରଶାନ୍ତ ଗାଁର ୱାର୍ଡ ମେମ୍ବର ଥିବାବେଳେ ଗାଁରେ କ୍ଲବ ଘର ନିର୍ମାଣକୁ ନେଇ ପ୍ରଶାନ୍ତ ଏବଂ ତାଙ୍କ ପିଉସା ଆମୁଷଙ୍କ ପରିବାର ମଧ୍ୟରେ ବିବାଦ ରହିଥିଲା। ଏଣେ ଗତ କିଛି ଦିନ ହେଲା ପ୍ରଶାନ୍ତଙ୍କ ଭଉଣୀ ଅସୁସ୍ଥ ରହୁଥିବାରୁ ଜମି ବିବାଦ ରାଗରେ ପିଉସା ଆମୁଷ ଗୁଣିଗାରେଡ଼ି କରିଥିବା ନେଇ ପ୍ରଶାନ୍ତଙ୍କ ପରିବାର ସନ୍ଦେହ କରୁଥିଲା। ବୁଧବାର ସନ୍ଧ୍ୟାରେ ମୃତ ପୁଚୁ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିବାବେଳେ ଅଭିଯୁକ୍ତ ନାବାଳକ ସେଠାରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଭଉଣୀଙ୍କ ଦେହ ଖରାପ ହେବାରେ ଗୁଣିଗାରେଡ଼ି ସନ୍ଦେହକୁ ନେଇ ପାଟିତୁଣ୍ଡ ହୋଇଥିଲା। ହଠାତ୍ ଅଭିଯୁକ୍ତ ନାବାଳକ ଧରିଥିବା ଟାଙ୍ଗିଆରେ ପୁଚୁଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୁଚୁଙ୍କ ମୃତ୍ୟୁ ହୋଇଥିଲା।