ଛାତ୍ରକୁ ନିର୍ମମ ହତ୍ୟା

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପେଡାକୋଣ୍ଡା ପଂଚାୟତ କେନ୍ଦୁଗୁଡା ଗ୍ରାମରେ ଜଣେ ଛାତ୍ରକୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା କିଛି ନର୍ଦ୍ଧିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ପରେ ଆଜି ମାଲକାନଗିରି ପୁଲିସ ହତ୍ୟା ପରେ ମାଟିରେ ପୋତାଯାଇଥିବା ଛାତ୍ରଙ୍କ ଶବକୁ ଜବତ କରିଛି। ଏଥିପାଇଁ ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ଭାଇ ଉଙ୍ଗା ମାଡକାମି ଗତକାଲି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ, ସେହି ଗ୍ରାମର ଦେବା ମାଡକାମି, ବୁଦ୍ରା ମୁଚାକି, ଆଇତା କବାସୀ, ରାମୁ ମାଡି ଗତ ୪ ତାରିଖ ଦିନ ରାତ୍ରରେ ସମାରୁ ମାଡକାମିଙ୍କୁ ରାତ୍ର ୧୧ ଘଟିକା ସମୟରେ ଗୋଟିଏ ବୈଠକ ଅଛି ବୋଲି ଡାକି ନେଇଥିଲେ। ପରେ ପୁଣି ସେଦିନ ମଧ୍ୟରାତିରେ ତାଙ୍କୁ ଏକ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲେ। କିନ୍ତୁ ସେ ବହୁ କଷ୍ଟରେ ତାଙ୍କ କବଳରୁ ଖସିବାରେ ସଫଳ ହୋଇଥିବା ବେଳେ ତାଙ୍କ ଭାଇ ସମରା ମାଡକାମିଙ୍କ କୌଣସି ସନ୍ଧାନ ମିଳିନଥିବା ଉଙ୍ଗା ମାଡକାମ ଅଭିଯୋଗରେ ଦର୍ଶାଇଥିଲେ ଏବଂ ସେମାନେ ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଆଦରୀ ନେଇଥିବାରୁ ତାଙ୍କର ତିନୋଟି ପରିବାରକୁ ଗତ ତିନିବର୍ଷ ହେଲା ସେହି ଗ୍ରାମର କିଛି ଗ୍ରାମବାସୀ ତାଙ୍କୁ ବିରୋଧ କରୁଥିଲେ।

ଖସି ଆସିବା ପରେ ଉଙ୍ଗ ଥାନାରେ ଏତଲା ଦେବା ପରେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଉକ୍ତ ଗ୍ରାମକୁ ଯାଇ ଗତକାଲି ଠାରୁ ତଦନ୍ତ ଆରମ୍ଭ କରିଥିବା ସହ ଆଜି ଗ୍ରାମର କିଛି ଦୂରରେ ସମାରୁଙ୍କ ଶବ ମାଟିତଳେ ପୋତା ହୋଇଥିବା ଜାଣିବା ପରେ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ପରେ ଘଟଣାରେ ସମ୍ପୃକ୍ତ ଚାରିଜଣ ଯବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରି ତଦନ୍ତ ଜାରି ରଖିଛନ୍ତି। ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଶ୍ରୀ ନାଗ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ପରେ ଏହି ଗ୍ରାମରେ ଉତେଜନା ମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ପୁଲିସ ପକ୍ଷରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।