ସୁଦାମଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ, ପୁତୁରା ସମେତ ୨ କୋର୍ଟ ଚାଲାଣ

-ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରି ପୋଡ଼ିଦେଇଥିଲେ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ବ୍ଳକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳକୁଟ୍ରୃକା ଗ୍ରାମର ସୁଦାମ ମଳିକ(୪୦)ଙ୍କ ହତ୍ୟା ଘଟଣାରେ ଆଜି ହତ୍ୟାକାରୀ ସୁମନ୍ତ ମଳିକ(୨୪) ଓ ସହଯୋଗ କରିଥିବା କୁଟ୍ରୃଶା ମଳିକ(୩୫)ଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଥିବା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ପ୍ରକାଶ କରିଛନ୍ତି । ହତ୍ୟାକାରୀ ସୁମନ୍ତ ସଂପର୍କରେ ମୃତ ସୁଦାମଙ୍କ ବଡ଼ ଭାଇଙ୍କ ପୁଅ ତଥା ପୁତୁରା ଓ କୁଟ୍ରୃଶା ସୁମନ୍ତଙ୍କ ସମ୍ପର୍କୀୟ ମାମୁଁ।

ପୁଲିସ ର ସୂଚନା ମୁତାବକ କିଛି ବର୍ଷ ହେବ ସୁଦାମ ଗାଁ ରେ ଗୁଣିଗାରେଡ଼ି ଶିଖିଥିବା ସହ ଅନ୍ୟକୁ ଗୁଣିଗାରିଡ଼ି କରୁଥିବା ସୁମନ୍ତ ଶୁଣିଥିଲା ସୁଦାମ ଗୁଣିଗାରେଡ଼ିରେ ଅନ୍ୟକୁ ମାରିବା ବିଷୟ ଶୁଣି ନିଜେ ଭୟକରିଥିଲେ । ସୁମନ୍ତ ବାପାଙ୍କ ଗୋଟିଏ ପୁଅ ହୋଇଥିବାରୁ ଦାଦାସୁଦାମ ତାକୁ ଗୁଣିଗାରେଡ଼ି କରି ଜୀବନରେ ମାରି ଦେଇ ସମ୍ପତି ହଡ଼ପ କରିବାର ଆଶଙ୍କା କରିଥିଲେ ସୁମନ୍ତ ତେଣୁ ସୁଦାମ କୁ ରାସ୍ତାରୁ ହଟାଇବା ପାଇଁ ସୁମନ୍ତ ଅନେକ ଦିନହେଲା ସୁଵିଧାକୁ ଅପେକ୍ଷା କରିଥିଲେ ।

ତେବେ କିଛିଦିନ ହେବ ଦାଦା ସୁଦାମ ଗ୍ରାମ ନିକଟ କୁଡୁପାଗାଡି କ୍ଷେତର କୁଡ଼ିଆରେ ଏକାକି ରହୁଥିବାର ସୁଯୋଗକୁ ହାତଛଡ଼ା ନକରି ନିଜର ସମ୍ପର୍କୀୟ ମାମୁ ତଥା ବଡ଼ଗଡ଼ ଥାନା ଅନ୍ତର୍ଗତ କୁଟାମାହା ଗ୍ରାମର କୁଟ୍ରୃଶାଙ୍କୁ ସହଯୋଗ କରିବାକୁ କହି ଗତ ୩ତାରିଖ ସନ୍ଧ୍ୟା ସମୟରେ ଦାଦା କୁଡ଼ିଆରେ ରୋଷେଇ କରିବା ସମୟରେ ଦୁଇଜଣ ପହଞ୍ଚି ଅତର୍କିତ ଭାବେ କଟରାରେ ହତ୍ୟା କରିଥିଲେ ।

ଏହାପରେ ସେହି ଠାରୁ ଦେଢ଼ କିଲୋମିଟର ଦୂର ପାହାଡ଼ ଉପର କୁ ନେଇ ପୋଡ଼ି ଦେଇଥିଲେ । ଏହି ଘଟଣା ପରିବାରର ସଦସ୍ୟ ଜାଣିବା ପରେ ମଧ୍ୟ ହତ୍ୟାକାରୀ ଙ୍କ ଭୟରେ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ କରିନଥିଲେ । ମୃତ ସୁଦାମଙ୍କ ଭାଇ ପ୍ରତାପ ମଳିକ ଆସିବା ପରେ ଗତ ଶନିବାର ରାତିରେ ଥାନାରେ ଲିଖିତ ଅଭିଯୋଗ ଦେବାପରେ ଘଟଣାର ତଦନ୍ତ ନେଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ଗତକାଲି ଫୁଲବାଣୀର ସାଇଣ୍ଟିଫିକ ଦଳ ସହ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରି ଉକ୍ତ ଦୁଇଜଣଙ୍କୁ ଧରି ଆଣିଥିଲେ।

ଏହି ଘଟଣାରେ ଗତ କାଲିଠାରୁ ଦୁଇଜଣଙ୍କୁ ପଚରାଉଚରା କରିବା ପରେ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ଏହାପରେ ଆଜି ଉକ୍ତ ଦୁଇଜଣଙ୍କ ନାମରେ ମକଦମା ନମ୍ବର ୭/୨୦୨୦ରେ ରୁଜୁକରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।