ମଦରେ ବିଷମିଶାଇ ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ

ଦେବଗଡ, ଏନଏନଏସ : ଜଣେ ବନ୍ଧୁଙ୍କୁ ବଳ ପୂର୍ବକ ମଦରେ ବିଷ ମିଶାଇ ହତ୍ୟା କରାଯାଇଥିବା ନେଇ ଶନିବାର ରିଆମାଳ ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି। ଅଭିଯୋଗ ଆଧାରରେ ରିଆମାଳ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ବନାକାଲୋ ଗ୍ରାମର ଅଶ୍ୱିନୀ ପ୍ରଧାନ (୩୦) ନାମକ ଯୁବକଙ୍କୁ ଉକ୍ତ ଗ୍ରାମର ମଙ୍ଗୁଳୁ ପ୍ରଧାନ ଏବଂ ନିକଟସ୍ଥ ଗୁଣ୍ଡିଆପାଲି ଗ୍ରାମର ରାକେଶ ନାମକ ୨ ଜଣ ଯୁବକ ଅନ୍ୟ କେତେକ ସାଥିଙ୍କ ସହ ଗତ ମଙ୍ଗଳବାର ୧୯ ତାରିଖ ସଂନ୍ଧ୍ୟାରେ ଘରୁ ଡାକି ନେଇ ଘର ଠାରୁ ପ୍ରାୟ ୨୨-୨୪ କି.ମି ଦୂର ବର୍ତୀ ଛତାବର ନିକଟସ୍ଥ ସତୀଘାଟ ଜଙ୍ଗଲରେ ମଦ୍ୟପାନ କରିବା ପାଇଁ ଡାକି ନେଇଥିଲେ । ସେଠାରେ ମଙ୍ଗୁଳୁ ଓ ରାକେଶ ଅଶ୍ୱିନୀଙ୍କୁ ମଦରେ ବିଷ ମିଶାଇ ବଳ ପୂର୍ବକ ପିଆଇବା ପରେ ଅଶ୍ୱନୀଙ୍କୁ ସେଠାରେ ଛାଡି ଫେରାର ହୋଇଯାଇଥିଲେ।

ବିଷକ୍ରୀୟା ଯୋଗୁଁ ଗୁରୁତର ଅଶ୍ୱନୀ ଉକ୍ତ ଜଙ୍ଗଲ ମଧ୍ୟରୁ ବାହାରକୁ ଆସି ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ସହାୟତା ପାଇଁ ରାସ୍ତା ନିକଟକୁ ଆସିବା ସମୟରେ ପାଖରେ ଥିବା ଏକ ନାଳରେ ଶୈାଚ ହେବାକୁ ଯାଇଥିବା ତିଲେଇପୋଶି ଗ୍ରାମର ଜଣେ ଗାଡି ଚାଳକଙ୍କୁ ଦେଖିପାରି ଘଟଣା ସମ୍ପର୍କରେ କହିବା ସହ ତାଙ୍କୁ ଡାକ୍ତରଖାନାରେ ଭର୍ତୀ କରିବା ପାଇଁ ଅନୁରୋଧ କରିଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉକ୍ତ ଗାଡି ଚାଳକ ଅଶ୍ୱିନୀଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ତେବେ ଅଶ୍ୱିନୀଙ୍କ ଅବସ୍ଥା ଗୁରୁତର ହେବାରୁ ସେହି ଦିନ ରାତ୍ରୀରେ ପ୍ରଥମେ ଦେବଗଡ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ରାତିରେ ଅଶ୍ୱିନୀଙ୍କ ମୃତ୍ୟୁ ଘଟିଥିଲା। ଆଜି ଏ ସମ୍ପର୍କରେ ଅଶ୍ୱିନୀଙ୍କ ସ୍ତ୍ରୀ ସିଲି ପ୍ରଧାନ ରିଆମାଳ ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ମୃତ ଅଶ୍ୱିନୀଙ୍କ ମୃତ ଦେହ ବୁର୍ଲା ଡାକ୍ତରଖାନରେ ରହିଥିବା ବେଳେ ଆସନ୍ତାକାଲି ମୃତ ଦେହ ବ୍ୟବେଚ୍ଚେଦ କରାଯିବ ବୋଲି ସୂଚନା ମିଳିଛି। ତେବେ ଅଭିଯୁକ୍ତ ମାନେ ଫେରାର ରହିଥିବା ଜଣା ପଡିଛି।