ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ: ଯୁବକ ମୃତ, ମହିଳା ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ମାଝିଚାକୁଣ୍ଡାପାଳ ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକର ମୃତଦେହ ଜବତ କରିଥିବାବେଳେ ଗୁରୁତର ମହିଳାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ ମାଝିଚାକୁଣ୍ଡାପାଳ ଗ୍ରାମର ଶ୍ରଦ୍ଧାକର ମାଝୀଙ୍କ ପୁଅ ନରେଶ ମାଝୀ କେନ୍ଦୁଝର ଜିଲ୍ଲାରେ ଚାକିରି କରନ୍ତି। ଗ୍ରାମରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ପରିବାର ଲୋକେ ରହୁଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଭାଟସିଂ ଗ୍ରାମର ଧରଣୀ ନାଏକଙ୍କ ପୁଅ ସୁମନ୍ତ ନାଏକ(୨୫) ନରେଶଙ୍କ ସ୍ତ୍ରୀ ରହୁଥିବା କୋଠରିରେ ପଶି ଥିଲେ। ଲକ୍ଷ୍ମୀଙ୍କ ଶାଶୂ ଏହା ଜାଣିପାରି ପରିବାର ସଦସ୍ୟମାନଙ୍କୁ କହିଥିଲେ। ପରେ ନରେଶଙ୍କ ୨ ଭାଇ ଓ ବାପା ଉକ୍ତ କୋଠରିରେ ଉଭୟଙ୍କୁ ଦେଖିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଧ୍ୱସ୍ତା ଧ୍ୱସ୍ତି ହୋଇଥିଲା।

ତେବେ ଆଜି ସକାଳେ ଉକ୍ତ କୋଠରି ଖଟ ଉପରେ ସୁମନ୍ତଙ୍କ ମୃତ ଦେହ ପଡିଥିବାବେଳେ ଲକ୍ଷ୍ମୀଙ୍କ ବାମ ହାତର ଶିରା କଟି ଅଚେତ ଥିବା କୌଣସି ସୂତ୍ରରୁ ସୂଚନାପାଇ ଗୌଡସୁଗୁଡା ସରପଞ୍ଚ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ଥିବା ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେହିପରି ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।