୫ ହଜାର ଟଙ୍କା ପାଇଁ ବାପ ପୁଅଙ୍କୁ ହତ୍ୟା, ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ପାଟଣାଗଡ଼/ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମୁଣ୍ଡା ଗାଁରେ ୨ ପରିବାର ମଧ୍ୟରେ ଜମି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ବାପ ଓ ପୁଅଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ମୁଣ୍ଡା ଗାଁର ମୋତିଲାଲ ବନଛୋର(୫୮), ଛନ୍ଦମଣି ବନଛୋର (୩୦)। ସେହିପରି ଆହତ ହେଲେ କୈଳାସ ବନଛୋର, ହେମନ୍ତ ବନଛୋର। ଅନ୍ୟ ପରିବାରର ବାଲ୍ମିକ ରାଉତ, ପୁଅ ଫକିର ରାଉତ, ମଙ୍ଗଳ ରାଉତ ଓ ପୁତୁରା ଘାସିରାମ ରାଉତ ଗୁରତର ହୋଇଛନ୍ତି। ତନ୍ମଧ୍ୟରୁ ବାଲ୍ମିକ ରାଉତ ଓ ଫକିର ରାଉତଙ୍କ ଅବସ୍ଥା ଗରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଡାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ବାଲ୍ମିକ ରାଉତ ଓ ମୋତିଲାଲ ବନଛୋର ୨ ପରିବାର ମୁଣ୍ଡା ଗାଁରେ ରହନ୍ତି। ବାଲ୍ମିକ ରାଉତର ପୁଅ ଫକିର ରାଉତ ଜଣେ ଟ୍ରାକ୍ଟର ଡ୍ରାଇଭର। ମୋତିଲାଲ ଗୋଟିଏ ଟ୍ରାକ୍ଟର ଲିଜ ସୂତ୍ରରେ ଆଣିଥିବା ବେଳେ ଫକିର ସେହି ଟ୍ରାକ୍ଟରରେ ଡ୍ରାଇଭର ଥିଲା। ତେବେ ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ମଧ୍ୟରେ କୁଆଡେ ଦରମାକୁ ନେଇ ଫକିର ଓ ମୋତିଲାଲ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇଥିଲା। ତେବେ କିଛି ଦିନ ପୂର୍ବରୁ ମୋତିଲାଲ ଡ୍ରାଇଭରକୁ କିଛି ପଇସା ଦେଇଥିଲେ ଓ ବାକି ଥିବା ପାଇସାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାକୁ କେନ୍ଦ୍ର କରି ୨ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଏଥିରେ ୨ ପରିବାର ମାରଣାସ୍ତ୍ର ଧରି ଗାଁ ଶେଷ ମୁଣ୍ଡରେ ଥିବା ଜୋର ପାଖରେ ମାର୍‌ପିଟ ହୋଇଥିଲେ।

ଡ୍ରାଇଭର ମଙ୍ଗଳ ଏକ ତାବଲି ଧରି ମୋତିଲାକୁ ଚୋଟ ମାରିଥିଲା ଫଳରେ ଘଟଣା ସ୍ଥଳରେ ମୋତିଲାର ମୃତ୍ୟୁ ହୋଇଥିଲା। ପରେ ମଙ୍ଗଳ ପୁଣି ଛନ୍ଦମଣିକୁ ଗୋଡାଇ ଗୋଡାଇ ମାରିଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଥିଲେ। ସେହିପରି ଘଟଣାସ୍ଥଳରେ ଅନ୍ୟମାନେ ମଧ୍ୟ ଗୁରୁତର ହୋଇଥିବାରୁ ସେମାନଙ୍କୁ ବେଲପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ୨ ଜଣଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଛନ୍ଦମଣିଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାବେଳେ ମୋତିଲାଲର ଶବ ଘଟଣା ସ୍ଥଳରେ ପଡ଼ିରହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।