ବିଜେଡି କାଉନସିଲଙ୍କ ସ୍ବାମୀକୁ ହତ୍ୟା, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଗଡଭିତରେ ଚାଞ୍ଚଲ୍ୟ। ଘରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଛି। ରାତିରେ ଘରେ ଶୋଇଥିବାବେଳେ କେହି ଦୁର୍ବୁତ୍ତ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଲେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ନଂ ଓ୍ବାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଞ୍ଜିବ ଗୁରୁ।

ଗତକାଲି ସନ୍ଧ୍ୟାରେ କିଛି ଯୁବକଙ୍କ ସହ ରାଜା ଭୋଜି କରି ଘରକୁ ବିଳମ୍ବରେ ଫେରିଥିଲା। ରାତିରେ ଘରେ ଶୋଇଥିବାବଳେ ଏକ ଧାରୁଆ ଅସ୍ତ୍ରରେ ସଞ୍ଜିବଙ୍କୁ ଆକ୍ରମଣ କରାଯାଇଥିବାରୁ ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଭୋରୁ ପରିବାର ଲୋକ ତାଙ୍କୁ ଆହତ ଅବସ୍ଥାରେ ଦେଖି ତରଭା ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ତରଭା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ଅନୁସନ୍ଧାନ କରୁଛି।